fbpx

ବ୍ୟାଙ୍କ ଦେବାଳିଆ କିମ୍ବା ବନ୍ଦ ହୋଇଗଲେବି ୯୦ ଦିନ ମଧ୍ୟରେ ଗ୍ରାହକଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି

ନୂଆଦିଲ୍ଲୀ: ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୋଇଯାଏ କିମ୍ବା ଆରବିଆଇ ଏହାର ଲାଇସେନ୍ସ ରଦ୍ଧ କରନ୍ତି, ଏପରି ସ୍ଥଳରେ ଗ୍ରାହକଙ୍କୁ ଡରିବାର ଆବଶ୍ୟକ ନାହିଁ । ବ୍ୟାଙ୍କର ଗ୍ରାହକଙ୍କୁ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ଅନୁଯାୟୀ ୯୦ ଦିନ ଭିତରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଏକ ବୈଠକରେ ଡିଆଇସିଜିସି ଆକ୍ଟରେ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି । ଏହି ପରିବର୍ତ୍ତନର ସୂୂଚନା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଛନ୍ତି ।

ଏହି ପରିବର୍ତ୍ତନର ଲାଭ ସେହି ଗ୍ରାହକଙ୍କୁ ମିଳିବ ଯେଉଁମାନଙ୍କ ଟଙ୍କା କୌଣସି ନା କୌଣସି କାରଣରୁ ବ୍ୟାଙ୍କ ବନ୍ଦ ହେବା କିମ୍ବା ଲାଇସେନ୍ସ ରଦ୍ଧ ହେବା ଯୋଗୁଁ ଅଟକି ରହିଛି । ପୂର୍ବରୁ ବୀମା ମୂଲ୍ୟ ଏକ ଲକ୍ଷ ଟଙ୍କା ରହିଥିଲା, କିନ୍ତୁ ୨୦୨୦ରେ ସରକାର ଡିପୋଜିଟ୍ ଇନସ୍ୟୁରାନ୍ସର ସୀମା ୫ ଗୁଣା ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏବେ ବୀମା ରାଶି ଦେବାର ଅବଧି ନିଶ୍ଚିତ କରାଯାଇଛି । ଅର୍ଥାତ୍ ୯୦ ଦିନ ମଧ୍ୟରେ ଗ୍ରାହକଙ୍କୁ ବୀମା ରାଶି ପ୍ରଦାନ କରାଯିବ ।

କେନ୍ଦ୍ରୀୟ କ୍ୟାବିନେଟ ବୈଠକର ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଡିଆଇସିଜିସି ଆଇନରେ ସଂଶୋଧନ ସହ ବୀମା ରାଶିର ସୀମା ବୃଦ୍ଧି କରାଯିବ ଏବଂ ଏହା ଅନ୍ତର୍ଗତ ୯୮.୩ ପ୍ରତିଶତ ବ୍ୟାଙ୍କ ଖାତାଧାରୀ ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ହେବେ । ନିର୍ମଳା ସୀତାରମଣ କହିଛନ୍ତି ଯଦି ଗ୍ରାହକଙ୍କ ଡିପୋଜିଟ ରାଶି ୫ ଲକ୍ଷରୁ ଅଧିକ ରହିଥାଏ ତା’ହେଲେ ମଧ୍ୟ ତାଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ହିଁ ମିଳିପାରିବ ।

Get real time updates directly on you device, subscribe now.