fbpx

ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ୍‌: ଦକ୍ଷିଣ କୋରିଆକୁ ୩-୦ ପରାସ୍ତ କରି ସେମିରେ ଭାରତ

ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ କ୍ୱାର୍ଟରଫାଇନାଲ ମ୍ୟାଚ ଉପରେ ସମସ୍ତ ନଜର

ପୋଚେଫଷ୍ଠ୍ରୁମ(ଦକ୍ଷିଣ ଆଫ୍ରିକା): ଭାରତୀୟ ଜୁନିୟର ମହିଳା ହକି ଦଳ ବିଜୟ ଧାରା ବଜାୟ ରଖି ଏଠାରେ ଚାଲିଥିବା ଏଫଆଇଏଚ ଜୁନିୟର ମହିଳା ହକି ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି । ଗ୍ରୁପ ପର୍ଯ୍ୟାୟ ମୁକାବିଲାରେ ୱେଲ୍ସ,ଜର୍ମାନୀ ଓ ମାଲେସିୟାକୁ ପରାସ୍ତ କରିଥିବା ଭାରତ ଶୁକ୍ରବାର ଦିନ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆକୁ ୩-୦ଗୋଲରେ ହରାଇ ସେମି ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛି ।

ଚଳିତ ବିଶ୍ୱକପରେ ଭାରତର ସବୁ ମ୍ୟାଚରେ ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଥିବା ମମତାଜ୍‌ ଖାନ ଶୁକ୍ରବାର ମ୍ୟାଚରେ ମଧ୍ୟ ନିଜର ଦକ୍ଷତା ପ୍ରମାଣିତ କରି ୧୧ତମ ମିନିଟ ବେଳେ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ସେହିପରି ଭାରତୀୟ ଦଳର ଅନ୍ୟତମ ସଫଳ ତାରକା ଲାଲରିନ୍ଦିକି ମ୍ୟାଚର ୧୫ତମ ଓ ସଙ୍ଗୀତା କୁମାରୀ ୪୧ତମ ମିନିଟ ବେଳେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ପୂର୍ବ ସଫଳତା ଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରାରମ୍ଭରୁ ସ୍ପିଡ୍‌ ଓ ଡିଫେନ୍ସ ଟେକନିକ୍‌ ପ୍ରୟୋଗ କରି କୋରିଆର ବ୍ୟାକଲାଇନକୁ ମାନସିକ ଚାପ ମଧ୍ୟରେ ବାନ୍ଧି ରଖିଥିଲେ । ତେଣୁ ପ୍ରଥମ ପର୍ଯ୍ୟାୟରେ ଦୁଇ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲା । ଏହି ସୁଯୋଗ ନେଇ ମ୍ୟାଚର ୧୧ତମ ମିନିଟ ବେଳେ ମମତାଜ ଭାରତ ପାଇଁ ପ୍ରଥମ ଗୋଲ ସ୍କୋର କରି ୧-୦ ଅଗ୍ରଣୀ ଦେଇ ଥିଲେ ।

ଚଳିତ ବିଶ୍ୱକପରେ ମମତାଜଙ୍କର ଏହା ଥିଲା ବ୍ୟକ୍ତିଗତ ଷଷ୍ଠ ଗୋଲ । ଦେହି ରି ଲାଲରିନ୍ଦିକା ଆଉ ଏକ ସୁଯୋଗ ସୃଷ୍ଟି କରି ପ୍ରଥମ ଗୋଲ ସ୍କୋର ହେବାର ୫ ମିନିଟ ପରେ ଭାରତ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ଫଳରେ ପ୍ରଥମ କ୍ୱାର୍ଟର ଖେଳ ସମାପ୍ତ ବେଳକୁ ଭାରତ ୨-୦ରେ ଆଗୁଆ ହେବା ସହିତ ଶେଷ ପର୍ଯ୍ୟନ୍ତ ଆଧିତ୍ୟ ଜାହିର ବଜାୟ ରଖି ପାରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମାତ୍ର ଭାରତର ଶକ୍ତିଶାଳୀ ପ୍ରତିରକ୍ଷା ଦୁର୍ଗକୁ ଅତିକ୍ରମ କରିବା ସମ୍ଭବ ହୋଇ ନ ଥିଲା । ତେବେ ସାଇଡ ପରିବର୍ତ୍ତନ ହେବା ପରେ କୋରିଆକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ସୁଯୋଗ ମିଳିଥିଲେ ହେଁ ଏହାର ସଦୁପୋଯୋଗ କରି ପାରି ନ ଥିଲା । ବରଂ ଭାରତ ନିଜର ଅଗ୍ରଣୀକୁ ଆହୁରି ଆଗକୁ ନେଇ ୪୫ତମ ମିନିଟ ବେଳେ ତୃତୀୟ ଗୋଲ ସ୍କୋର କରିଥିଲା ।

ଆଜି ଦିନ ଦକ୍ଷିଣ ଆଫ୍ରିକା ଓ ତିନିଥର ଟାଇଟଲ ବିଜେତା ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ କ୍ୱାର୍ଟରଫାଇନାଲ ମ୍ୟାଚର ବିଜେତାଙ୍କ ବିରୋଧରେ ଭାରତ ଖେଳିବ ସେମିଫାଇନାଲ ମ୍ୟାଚ । ପୁଣି ଥରେ ସୂଚଇ ଦିଆ ଯାଇପାରେ ଯେ ଭାରତ ଜୁନିୟର ବିଶ୍ୱକପରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ବ୍ରୋଞ୍ଜ ପଦକ ହାସଲ । ୨୦୧୩ରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱକପର ଶେଷ ପର୍ଯ୍ୟାୟ ମ୍ୟାଚରେ ଇଂଲଣ୍ଡକୁ ହରାଇ ଭାରି ବ୍ରୋଞ୍ଜପଦକ ପାଇଥିଲା ।

Get real time updates directly on you device, subscribe now.