fbpx

ଆଇଏମ୍‌ଡି ଡିଜିଙ୍କ ପୂର୍ବାନୁମାନ: ବାତ୍ୟା ରୂପ ନେଇପାରେ ଲଘୁଚାପ, ୬ ତାରିଖରେ ଜଣାପଡିବ ତୀବ୍ରତା ଓ ଗତିପଥ

Advertisement

ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଦକ୍ଷିଣ ଆଣ୍ଡାମାନସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତା ମାସ ୬ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ରୂପ ନେବାର ଆକଳନ କରାଯାଇଥିଲେ ମଧ୍ୟ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେଣୁ ଏକ୍ଷେତ୍ରରେ ମେ ମାସରେ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଶନିବାର ଶ୍ରୀ ମହାପାତ୍ର କହିଛନ୍ତି ଯେ,  ମେ’ ମାସରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସାଧାରଣତଃ ମେ ମାସରେ ଲଘୁଚାପ ହେଲେ ଏହାର ତୀବ୍ରତା ଅଧିକ ରହିବାର ସମ୍ଭାବନା ଥାଏ । ତେଣୁ ମେ ମାସରେ ବାତ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି । ସେ ଆହୁରି କହିଛନ୍ତି ଯେ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ମେ ୬ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ତୀବ୍ରତା ଓ ଗତିପଥ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହା ବାତ୍ୟାର ରୂପ ନେବାପରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯାଇ ପାରିବ ବୋଲି ସେ କହିବା ସହ ଏହାର ତୀବ୍ରତା ସହିତ ବାତ୍ୟା କେଉଁ ଉପୂକଳରେ ମାଡ଼ ହେବ ସେନେଇ ବିଶଦ ସୂଚନା ମିଳିପାରିବ । ବିଶେଷଭାବେ ପ୍ରାକ୍‌ ମୌସୁମୀ ଓ ମୌସୁମୀ ଋତୁ ପରେ ପରେ ହିଁ ଭାରତ ମହାସାଗରରେ ୨ରୁ ୪ଟି ବାତ୍ୟା ଦେଖାଦେଇଥାଏ ।

ମାର୍ଚ୍ଚରୁ ଜୁନ୍‌ ଓ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହିଁ ବାତ୍ୟା ବଳ ନେଇ ଉପକୂଳରେ ମାଡ଼ କରିଥାଏ । ମେ କିମ୍ବା ନଭେମ୍ବର ମାସରେ ବାତ୍ୟା ଆସିଲେ ସାଧାରଣତଃ ଏହାର ତୀବ୍ରତା ଅଧିକ ରହିଥାଏ । ତେଣୁ ଆସନ୍ତା ୬ ତାରିଖରେ ଆକଳନ କରାଯାଉଥିବା ଲଘୁଚାପ କ୍ଷେତ୍ର ରୂପ ନେବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ ।

ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସେ କହିଛନ୍ତି ଯେ, ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କିମ୍ବା ଅଂଶୁଘାତର କୌଣସି ଆଶଙ୍କା ନାହିଁ । ରବିବାର କାଳବୈଶାଖୀର ପ୍ରଭାବ ଅନୁଭୂତ ହେବାସହ ଏହା ୩ ଦିନ ଲାଗି ରହିବ ବୋଲି ସେ କହିଛନ୍ତି । ସେହିପରି ମେ ମାସରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ୍‌ ରହିବ । ଦିନର ତାପମାତ୍ରା ହ୍ରାସ ପାଇବ । ମେ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଥିବା ସେ ସୂଚନା ଦେଇଥିଲେ ।

Get real time updates directly on you device, subscribe now.