fbpx

ପଶ୍ଚିମା-ଝଡ ପ୍ରଭାବ: ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ପବନ, ବ୍ୟାପକ ଜମିରେ ଧାନ, ପନିପରିବା ଫସଲ ନଷ୍ଟ

ଭୁବନେଶ୍ୱର,୧୯ା୩(ଭାସ୍କର ନ୍ୟୁଜ): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ସହ ପବନ ଲାଗି ରହିଛି । ଏଥିରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶନିବାର ସନ୍ଧ୍ୟାରେ ଝଡ଼ତୋଫାନ ସହ ବର୍ଷା ଓ କୁଆପଥର ମାଡ଼ ହେବାରୁ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ଫସଲହାନୀ ହୋଇଥିବା ସୂଚନା ମିଳିଛି। ତେବେ ଏହି ଝଡ଼ ଆହୁରି ଦୁଇଦିନ ତାର ପ୍ରଭାବ ଜାରି ରଖିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ
ଦିଆଯାଇଥିବା ସୂଚନା ଅନୁଯାୟୀ ୨୦ ତାରିଖ ସୋମବାର ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ କନ୍ଧମାଳରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ୨୧ ତାରିଖରେ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି । ଏଥିନେଇ ଏହି ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ବର୍ଷା ଓ ପବନ ଫଳରେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଛି। ବିଲରେ ପଡ଼ିଥିବା କଟା ଧାନରେ ପାଣି ପଶି ଯାଇଛି। ସେହିପରି ପନିପରିବା ଫସଲରେ ମଧ୍ୟ ପାଣି ଜମି ରହିଥିବାରୁ ଏହା ପଚି ଯିବାର ଆଶଙ୍କା ପ୍ରକାଶ ପାଇଛି । ଚାଷୀମାନେ ବିଲକୁ ଯାଇ ପାଣିରୁ ଧାନ ଉଦ୍ଧାର କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଶନିବାରର ଝଡ଼ବର୍ଷାରେ ମାଲକାନଗିରିଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେଉଁଠି ଆଜବେଷ୍ଟସ ଘରର ଛପର ଉଡ଼ିଯାଇଛି ତ ଆଉ କେଉଁଠି କାନ୍ଥ ପଡ଼ି କାହାର ମୃତ୍ୟୁ ଘଟିଛି।

ପଶ୍ଚିମାଝଡ଼ ପ୍ରଭାବରେ ପ୍ରବଳ ପବନ ସହ ବଜ୍ରାଘାତ ହେବାରୁ ବାଲେଶ୍ୱର ଓ ଭଦ୍ରକରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ବ୍ୟାପକ ଜମିରେ ହୋଇଥିବା କଖାରୁ, ତରଭୁଜ ଓ ଭେଣ୍ଡି ତଥା ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କର ବର୍ଷକର ଫସଲ ନଷ୍ଟ ହୋଇଯାଇଥିବାରୁ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ମେଟାଗୁଡ଼ା ଗାଁରେ ଲଗାଣ ବର୍ଷା ଲାଗି ରହିବାରୁ କାନ୍ଥ ପଡ଼ି ଜଣେ ୪ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି । ତା ନାମ ସ୍ୱାତୀ ମାଡ଼କାମୀ ବୋଲି ଜଣାପଡ଼ିଛି। ଶନିବାର ରାତିରେ ସ୍ଵାତି ବାପା ଆଇତା ମାଡ଼କାମୀ ଓ ମା’ଙ୍କ ସହ ଶୋଇଥିବାବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଶିଶୁକନ୍ୟାର ଜୀବନ ଚାଲି ଯାଇଥିଲା । ଅନ୍ୟପକ୍ଷରେ ବାପା-ମା ଗୁରୁତର ହୋଇଥିବାବେଳେ ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ରବିବାର ସକାଳେ ସ୍ଥାନୀୟ ବିଡିଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଆଇତା ପରିବାରଙ୍କୁ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପକ୍ଷରେ ମେଟାଗୁଡ଼ା ଗାଁରେ ଅନେକ କଚ୍ଚା ଘର ଥିବାବେଳେ ଲଗାଣ ବର୍ଷା ଲାଗି ରହିଥିବାରୁ ଘରଗୁଡ଼ିକ ବିପଦସଂକୁଳ ଅବସ୍ଥାରେ ରହିଛି। ଏହି ଗାଁର ଲୋକମାନେ କିପରି ସରକାରୀ ଯୋଜନାରେ ବାସଗୃହ ପାଇପାରିବେ ସେଥିନେଇ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଦୃଷ୍ଟି ଦେବା ଉଚିତ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏହି ଝଡ଼ବର୍ଷା ଆହୁରି ଦୁଇଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ବର୍ଷା ସମୟରେ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ରହିଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁ ଶିମିଳିପାଳରେ ଲାଗିଥିବା ନିଆଁ ଲିଭି ଯାଇଥିବା ସୂଚନା ମିଳିଛି । ଗତ କିଛିଦିନ ହେବ ଶିମିଳିପାଳରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ଓ ଗୁଳ୍ପ ନଷ୍ଟ ହୋଇଥିଲା । ଏହି ପ୍ରାୟ ୩ ସପ୍ତାହ ଧରି ଜଳି ଚାଲିଥିଲା । ଶିମିଳିପାଳ ନିଆଁ ଲିଭିବା ପରେ ଖୁସିରେ ଆତ୍ମହରା ହୋଇଉଠି ନାଚିଥିଲେ ।

Get real time updates directly on you device, subscribe now.