fbpx
BJD
BJD SKY
BJD SKY

ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା?

BJD

ଓଡ଼ିଶା ଭାସ୍କର: ଦିନ ଗଡ଼ୁଛି। କିନ୍ତୁ ବିଜେଡି-ବିଜେପି ମେଣ୍ଟର ଚିତ୍ର ସ୍ପଷ୍ଟ ହେଉନି। ତେଣୁ ମେଣ୍ଟ ସମ୍ପର୍କରେ ଏବେ ବି ଉଭୟ ଦଳର ନେତା, କର୍ମୀ ଓ ଜନତା ଦ୍ୱନ୍ଦ୍ୱରେ ରହିଛନ୍ତି । ହେଲେ ଏହା ମଧ୍ୟରେ ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଥିବା ଦେଖିବାକୁ ମିଳିଛି। ତେବେ ଜଣଙ୍କ ପରେ ଜଣେ ବିଜେଡି ବରିଷ୍ଠ ନେତା ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ଅଶୋକ ପଣ୍ଡା, ଅରୁଣ ସାହୁ, ଦେବୀ ମିଶ୍ର, ଟୁକୁନି ସାହୁ, ପ୍ରତାପ ଜେନା, ପ୍ରସନ୍ନ ଆଚାର୍ୟ୍ୟ, ପ୍ରଶାନ୍ତ ମୁଦୁଲି, ପ୍ରିତିରଞ୍ଜନ ଘଡ଼ାଇ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ରଙ୍କ ଭଳି ବହୁ ହେବିୱେଟ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ଆଉ ମାତ୍ର କିଛି ସମୟ ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ରହିଛି। ତେବେ ବିଜେଡିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଜୋର ଧରିଛି। ବିଶେଷକରି ମେଣ୍ଟ ସମ୍ପର୍କରେ ଏହି ବୈଠକରେ ଚୂଡାନ୍ତ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି।

ତେବେ ସୂଚନା ଥାଉକି, ଗୋଟିଏ ପଟେ ଗତ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ବିଜେପି ରାଜ୍ୟ ନେତୃତ୍ୱ ଦଳର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ କରିଥିଲେ। ଏବଂ ଗତକାଲି ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହାପରେ ଆଜି ସକାଳେ ସେମାନେ ଓଡ଼ିଶା ଫେରିଥିଲେ। ଆଉ ଏହାପରେ ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ ସକାଳେ କହିଥିଲେ, ‘ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ଆମେ ସବୁ ବିଷୟରେ ବିଚାର ଆଲୋଚନା କରୁଛୁ। ମାତ୍ର ମେଣ୍ଟ ହେବ ନା ନାହିଁ ଏନେଇ ସେ ସଫା ସଫା କିଛି କହି ନ ଥିଲେ। କିନ୍ତୁ ମଧ୍ୟାହ୍ନ ସମୟରେ ମନମୋହନ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ନିଜ ପକ୍ଷ ସ୍ପଷ୍ଟ କରିଥିଲେ। ଏପରିକି ରୋକଠୋକ ଭାବେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ଜିତିବ ବୋଲି ବି ସେ ସ୍ପଷ୍ଟ ଭାବେ କହିଛନ୍ତି। ତେଣୁ ନବୀନ ନିବାସରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ କ’ଣ ଆଲୋଚନା ହେବ ଓ ତା’ର ନିଷ୍କର୍ସ କ’ଣ ବାହାରିବ ତାହା ଉପରେ ସମସ୍ତଙ୍କ ନଜର।

Get real time updates directly on you device, subscribe now.