ଅହମ୍ମଦାବାଦ: ୭ ଦିନ ପରେ ଭଙ୍ଗା ହଷ୍ଟେଲ ଘରୁ ମିଳିଲା ଜେଜେମା, ନାତୁଣୀଙ୍କ ପୋଡ଼ା ମୃତଦେହ। ଆପଣ ଭାବୁଛନ୍ତି ନା ଘଟଣାଟି କ’ଣ? ତେବେ ଘଟଣାଟି ହେଉଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା ସହ ଜଡ଼ିତ।
ଅହମ୍ମଦାବାଦରୁ ଉଡ଼ାଣ ଭରିବା ପରେ ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହେବାର ସାତ ଦିନ ବିତିଗଲାଣି, ଯେଉଁଥିରେ ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାଛଡ଼ା ଯେଉଁ ହଷ୍ଟେଲରେ ମାଡ଼ ହୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହି ହଷ୍ଟେଲର କିଛି ଛାତ୍ରଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
କେବଳ ସେତିକି ନୁହେଁ ଆଖପାଖରେ ଥିବା ଅନେକ ଲୋକ ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ଏବେ DNA ପରୀକ୍ଷା କରାଯାଇ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଉଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହା କି ଦୁର୍ଘଟଣାର ୭ ଦିନ ପରେ ଦୁଇଟି ମୃତଦେହ ମିଳିଛି।
ମିଳିଲା ମୃତଦେହ: ସରଳା ବେନ୍ ଯିଏକି ବର୍ଷ ବର୍ଷ ଧରି ବିଜେ ମେଡିକାଲ କଲେଜ ହଷ୍ଟେଲର ମେସରେ ରୋଷେୟା ଭାବେ କାମ କରୁଥିଲେ। ଇଏ ସେହି ହଷ୍ଟେଲ ଯେଉଁ ହଷ୍ଟଲରେ ସେଦିନ ଅହମ୍ମଦାବାଦରୁ ଉଡ଼ାଣ ଭରିବା ମାତ୍ରେ ବିମାନଟି ଆସି ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିଲା।
MBBS ଛାତ୍ରମାନଙ୍କ ପାଇଁ ପ୍ରତିଦିନ ରୋଷେଇ କରନ୍ତି ସରଳା ବେନ୍। ଜୁନ୍ ୧୨ ତାରିଖ ଅପରାହ୍ନରେ, ଯେତେବେଳେ ବୋଇଂ 787-8 ଡ୍ରିମଲାଇନର ଆକାଶରୁ ଖସି ହଷ୍ଟେଲ କମ୍ପ୍ଲେକ୍ସରେ ପଡ଼ିଲା, ସେ ଏବଂ ତାଙ୍କର ଅଢେଇ ବର୍ଷର ନାତୁଣୀ ମେସ୍ ଭିତରେ ଥିଲେ।
ତାଙ୍କ ବୋହୂ ଏବଂ ପୁଅ, ଯେଉଁମାନେ ସେହି ହସ୍ପିଟାଲରେ ଲଞ୍ଚବକ୍ସ ଡେଲିଭରି କରନ୍ତି। ଦୁର୍ଘଟଣା ଘଟିବା ସମୟରେ ପୁଅ, ବୋହୂ ଏବଂ ଆଉ ଜଣେ ବାହାରକୁ ଖାଦ୍ୟ ଡେଲିଭରି କରିବା ପାଇଁ ଚାଲିଯାଇଥିଲେ। ଆଉ ଜେଜେ ମା ପାଖରେ ନାତୁଣୀକୁ ଛାଡ଼ି ଯାଇଥିଲେ।
ଗତ ଦଶ ବର୍ଷ ଧରି, ସରଳା ବେନ୍ ଏହି ହଷ୍ଟେଲରେ ଖାଦ୍ୟ ରାନ୍ଧୁଛନ୍ତି। ପୂର୍ବରୁ, ସେ ସିଭିଲ୍ ହସ୍ପିଟାଲରେ ରୋଷେୟା ଭାବରେ କାମ କରୁଥିଲେ। କିଛି ବର୍ଷ ପୂର୍ବରୁ, ହଷ୍ଟେଲ ନିର୍ମାଣ ହେବା ପରେ, ସେ ସେଠାରେ ସ୍ଥାନାନ୍ତରିତ ହୋଇଥିଲେ।
ଦୁର୍ଘଟଣାର ଦଶ ମିନିଟ୍ ପୂର୍ବରୁ, ତାଙ୍କ ପୁଅ, ବୋହୂ ଏବଂ ଅନ୍ୟ ଜଣେ ପୁଅ ମଧ୍ୟାହ୍ନ ଭୋଜନ ଦେବା ପାଇଁ ବାହାରକୁ ଯାଇଥିଲେ। ଯଦି ସେମାନେ ଯାଇ ନଥାନ୍ତେ, ତେବେ ସେମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥାନ୍ତେ।
ହଷ୍ଟେଲରେ ଦୁର୍ଘଟଣା: ହଷ୍ଟେଲ ହଲ୍ ଭିତରେ ବିମାନଟି ଧକ୍କା ହେବା ସମୟରେ ୬୦-୭୦ ଜଣ ଡାକ୍ତରୀ ଛାତ୍ର ସେଠାରେ ଉପସ୍ଥିତ ଥିଲେ। ଅନେକ ପୋଡ଼ି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି।
ତଦନ୍ତକାରୀମାନେ ବିମାନରେ ଥିବା ଯାତ୍ରୀମାନଙ୍କ ବ୍ୟତୀତ ସ୍ଥାନୀୟ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ନିର୍ଣ୍ଣୟ କରିବା ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ତେବେ ୭ଦିନ ହେବ ଦୁହିଁଙ୍କ ମୃତଦେହ ମିଳିନଥିବାରୁ ପରିବାର ଲୋକେ ବିଭିନ୍ନ ହସ୍ପିଟାଲରେ ଖୋଜାଖୋଜି କରିଥିଲେ। ୭ଦିନ ପରେ ଡିଏନଏ ମ୍ୟାଚ୍ କରିବାରୁ ଏବେ ପରିବାରୁ ମୃତଦେହ ହସ୍ତାନ୍ତର କରାଯାଇଛି।