fbpx
BSKY
BJD SHG SKY
BJD YOUTH SKY

(Video) ବାଲେଶ୍ୱରରେ ବିଜେଡି ମଙ୍ଗ ଧରିବେ ଲେଖାଶ୍ରୀ! ପ୍ରତାପ ନନାଙ୍କ ବିପକ୍ଷରେ ହେବ କଡ଼ା ଟକ୍କର…

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଏବେ ଚା ଖଟିରେ ନିର୍ଦ୍ଧୁମ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚାକୁ ଆହୁରି ଗରମ କରିଛି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାର୍ଟି ପରିବର୍ତ୍ତନ । ଭାରତୀୟ ଜନତା ପାର୍ଟିର ଉପସଭାପତି ପଦରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ । ତେବେ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଲୋକସଭା ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି । ବାଲେଶ୍ୱର ଆସନରୁ ପୂର୍ବତନ ଦଳ ବିଜେପି ଏବଂ ପ୍ରତାପ ଷଡ଼ଙ୍ଗୀ ବିପକ୍ଷରେ ନିର୍ବାଚନ ଲଢିପାରନ୍ତି ଲେଖାଶ୍ରୀ । ତେଣୁ ଏଥିପାଇଁ ସେ ପ୍ରସ୍ତୁତି କରି ସାରିଥିବା ମଧ୍ୟ ଆଲୋଚନା ହେଉଛି ।

ଗୋଟିଏ ସମୟରେ ଭାରତୀୟ ଜନତା ପାର୍ଟିର ମୁହଁ ସାଜିଥିଲେ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କିନ୍ତୁ ଏବେ ବିଜେପି ଛାଡି ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଲେଖାଶ୍ରୀ ବିଜେଡିରେ ମିଶିବା ପରେ ବାଲେଶ୍ୱର ଲୋକସଭା ଆସନରେ ବିଜେପିର ଗଣିତ ବିଗାଡିବ ବୋଲି କୁହାଯାଉଛି । କାରଣ ଲେଖାଶ୍ରୀ ରାଜଧାନୀ ରାଜନୀତିରେ ଅଧିକ ସକ୍ରିୟ ଥିଲେ ମଧ୍ୟ ସେ ହେଉଛନ୍ତି ବାଲେଶ୍ୱରର ବାସିନ୍ଦା । ଏହା ସହ ଗତକାଲି ସେ ବିଜେଡିରେ ମିଶିବା ସମୟରେ ମଧ୍ୟ ଅନ୍ୟ ମାନଙ୍କ ସହ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ତାଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ । ବିଜେପି ବହୁ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱର ଲୋକସଭା ଆସନରେ ପୁଣି ଥରେ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ହେଲେ ବିଜେଡି ଏପର୍ଯ୍ୟନ୍ତ ବାଲେଶ୍ୱର ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରିନାହିଁ । ରବୀନ୍ଦ୍ର ଜେନା ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପାଇଁ ଦୃଢ ଦାବିଦାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାଲେଶ୍ୱରରେ ଶାସକ ଦଳ କାହାକୁ ଟିକେଟ୍ ଦେବ ତାକୁ ନେଇ ସସପେନ୍ସ ରହିଛି । ତେଣୁ ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ହୁଏତ ନୂଆ ମୁହଁ ଖୋଜୁଛି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ।

ରବୀନ୍ଦ୍ରଙ୍କୁ ୪ ଲକ୍ଷ ୮୩ ହଜାର ୮୫୮ ଭୋଟ୍ ମିଳିଥିଲା ବା ବେଳେ ପ୍ରତାପ ପାଇଥିଲେ ୪ ଲକ୍ଷ ୭୦ ହଜାର ୯୦୨ ଭୋଟ୍ । ଭୋଟ୍ ବ୍ୟବଧାନ ଥିଲା ମାତ୍ର ୧୨ ହଜାର ୯୫୬ । ତେଣୁ ବିଜେପି ଏଠାରେ ଗତ ଥର ବିଜୟୀ ହୋଇଥିଲେ ମଧ୍ୟ ଏହି ବ୍ୟବଧାନ ଯଥେଷ୍ଟ କମ୍ । ଏବେ ପୁଣି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିରେ ସାମିଲ ହୋଇ ରବୀନ୍ଦ୍ର ଜେନାଙ୍କ ସହ ହାତ ମିଳାଇଛନ୍ତି । ଯାହା ବାଲେଶ୍ୱର ଲୋକସଭା ଆସନରେ ଆଗାମୀ ନିର୍ବାଚନ ଫଳାଫଳକୁ ନିଶ୍ଚୟ ପ୍ରଭାବିତ କରିପାରେ । ଏହା ଭିତରେ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ବାଲେଶ୍ୱରରୁ ହୁଏତ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଆଉ ଯଦି ଲେଖାଶ୍ରୀଙ୍କୁ ଦଳ ସାଂସଦ ପ୍ରାର୍ଥୀ କରୁଛି, ଏହା ନିଶ୍ଚୟ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ପାଇଁ ଅଡୁଆ ସୃଷ୍ଟି କରିବ । କାରଣ ଏହା ପୂର୍ବରୁ ରାଜ୍ୟ ବିଜେପିରେ ଜଣେ ଆଗଧାଡି ନେତ୍ରୀ ଭାବେ ବେଶ୍ ପରିଚିତ ମୁହଁ ଥିଲେ ଲେଖାଶ୍ରୀ ସାମନ୍ତସିଂହାର ।

ତେଣୁ ବାଲେଶ୍ୱର ଲୋକସଭା ଆସନରୁ ଶାସକ ଦଳ ଯଦି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରେ ତା’ହେଲେ ସେ ବହୁ ପରିମାଣରେ ବିଜେପି ଭୋଟକୁ ମଧ୍ୟ ନିଜ ସପକ୍ଷରେ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ ବାଲେଶ୍ୱରର ଟାଣୁଆ ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ସମର୍ଥନ ମଧ୍ୟ ତାଙ୍କ ପାଇଁ ସହଜ ବିଜୟର ପଥ ପରିଷ୍କାର କରିଦେବ । ତେବେ ବାଲେଶ୍ୱରରୁ ଲେଖାଶ୍ରୀ ପ୍ରାର୍ଥୀ ହେଲେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ତାଙ୍କ ରାଜନୀତି ଲଢେଇ ଖୁବ ସଂଘର୍ଷପୂର୍ଣ୍ଣ ରହିବ ।

Get real time updates directly on you device, subscribe now.