fbpx

ମାଆର ମମତା ଆଗରେ ସବୁ ତୁଚ୍ଛ.. ସଂସଦରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ମିଳିଲା ଅନୁମତି

ଇଟାଲୀ : କୁହାଯାଏ ମାଆର ମମତା ଆଗରେ ସବୁ ତୁଚ୍ଛ । ମାଆ ଚାହିଁଲେ ତା ପିଲା ପାଇଁ ସବୁ କରିପାରିବ । ତା’ ପିଲାର ସୁରକ୍ଷା ପାଇଁ ସବୁ ପରିସ୍ଥିତି ସହ ଲଢିପାରିବ । ଏହାକୁ ସତ ବୋଲି ପ୍ରମାଣ କରିଛନ୍ତି ଇଟାଲୀର ଜଣେ ମହିଳା ସାସଂଦ ।

ଜୁନ୍ ୭ ତାରିଖ ବୁଧବାର ପ୍ରଥମ ଥର ପାଇଁ ଇଟାଲୀ ସଂସଦରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ମହିଳା ସାଂସଦ ନିଜ ଭୋକିଲା ଶିଶୁକୁ ସ୍ତନ୍ୟପାନ କରାଇଥିଲେ । ରିପୋର୍ଟ ଅନୁଯାୟୀ, ଇଟାଲୀର ମହିଳା ସାଂସଦ ଗିଲଡା ସ୍ପୋର୍ଟିଓଲୋ ତାଙ୍କ ପୁଅ ଫେଡେରିକୋଙ୍କୁ ଚାମ୍ବର ଅଫ୍ ଡେପୁଟେସନରେ ସ୍ତନ୍ୟପାନ କରାଇଛନ୍ତି। ଏହି ନିଷ୍ପତ୍ତିକୁ ସମସ୍ତ ସାଂସଦ ସମ୍ମତି ଜଣାଇବା ସହ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ଅନେକ ଦେଶରେ ସ୍ତନ୍ୟପାନ କରାଇବା ଘଟଣା ସ୍ୱାଭାବିକ ହେଲାଣି । କିନ୍ତୁ ଇଟାଲୀ ପରି ପୁରୁଷ ପ୍ରାଧାନ୍ୟ ଦେଶର ଗୃହରେ ଜଣେ ସଦସ୍ୟ ଶିଶୁକୁ ସ୍ତନ୍ୟପାନ କରାଇବା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ଘଟଣା । ଗତ ବର୍ଷ ନଭେମ୍ବରରେ ଇଟାଲୀରେ ଏକ ସଂସଦୀୟ ପ୍ୟାନେଲ୍ ରେ ମହିଳା ସାଂସଦମାନଙ୍କୁ ଏନେଇ ଅନୁମତି ମିଳିଥିଲା । ସେମାନଙ୍କ ନିଜ ପିଲାମାନଙ୍କୁ ନେଇ ଗୃହକୁ ଆସିପାରିବେ ଏବଂ ଶିଶୁକୁ ଏକ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବାକୁ ଅନୁମତି ଦିଆଯାଇଥିଲା ।

ଏନେଇ ଜଣେ ମହିଳା କହିଛନ୍ତି ଯେ, ବିଭିନ୍ନ କାରଣ ପାଇଁ ମହିଳାମାନଙ୍କୁ ସ୍ତନ୍ୟପାନ ବନ୍ଦ କରିବାକୁ ପଡେ । ମହିଳାମାନେ ଏପରି କରିବାକୁ ଚାହଁନ୍ତି ନାହିଁ, କିନ୍ତୁ ପରିସ୍ଥିତିରେ ପଡି ବାଧ୍ୟ ହୋଇ ଏପରି କରିଥାନ୍ତି । କର୍ମକ୍ଷେତ୍ରକୁ ଯିବାକୁ ହେଲେ ସେମାନଙ୍କୁ ତାହା କରିବାକୁ ପଡିବ । ୧୩ ବର୍ଷ ପୂର୍ବେ ସଣ୍ଟେର-ରାଇଟ୍ ଫୋର୍ଜ ଇଟାଲୀ ପାର୍ଟିର ଜଣେ ସିନେଟର ଲିକିଆ ରୋଞ୍ଜୁଲି ଷ୍ଟ୍ରାସବର୍ଗ ୟୁରୋପୀୟ ସଂସଦରେ ନିଜ ଝିଅକୁ ସ୍ତନ୍ୟପାନ କରାଇଥିଲେ।

Get real time updates directly on you device, subscribe now.