fbpx

ଆରବିଆଇ ମୁଦ୍ରାସ୍ଫୀତି : ରେପୋ ରେଟ୍ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ – ଗଭର୍ଣ୍ଣରଙ୍କ ସୂଚନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଏହି ହାର ୬.୫୦ ପ୍ରତିଶତରେ ହିଁ ଅପରିବର୍ତ୍ତିତ ରହିଛି । ମୁଦ୍ରା ନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍ ମିଟରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସୁଧ ହାର ସ୍ଥିର ରଖିବା ପାଇଁ ଏମପିସିର ସମସ୍ତ ସଦସ୍ୟ ସମର୍ଥନ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍ଜିନାଲ୍ ଷ୍ଟାଣ୍ଡିଂ ସୁବିଧା (ଏମଏସଏଫ୍) ରେ ମଧ୍ୟ କୌଣସି ପରିବର୍ତ୍ତନ ରାଯାଇନାହିଁ । ଏମଏସଏଫ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ । ଏପ୍ରିଲରେ ମଧ୍ୟ ଏହି ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।

ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବରୁ ମଧ୍ୟ ବିଶେଷଜ୍ଞମାନେ ଆକଳନ କରୁଥିଲେ । କାରଣ ଗତ କିଛି ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ହାର ଟିକେ ଥଣ୍ଡା ପଡିଛି । ଅର୍ଥାତ୍ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରାଯାଇଛି, କିନ୍ତୁ ତଥାପି ଏହା ଟାର୍ଗେଟର ଉପରେ ରହିଛି ।

ମୁଦ୍ରାସ୍ଫୀତି ହାର ବିଷୟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏପ୍ରିଲରେ ରିଟେଲ ମହଙ୍ଗା ଦର ଅକ୍ଟୋବର ୨୦୨୧ ପରଠାରୁ ସର୍ବନିମ୍ନ ସ୍ତରକୁ ଆସିଛି। ଏପ୍ରିଲ୍ ୨୦୨୩ ରେ ରିଟେଲ ମହଙ୍ଗା ଦର ହାର ୪.୭ ପ୍ରତିଶତ ରହିଛି। ଭାରତର ହୋଲସେଲ ମହଙ୍ଗା ଦର ଚଳିତ ବର୍ଷ ଏପ୍ରିଲରେ -୦.୯୨ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ମାର୍ଚ୍ଚ ମାସରେ ୧.୩୪ ପ୍ରତିଶତ ଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ଆରବିଆଇ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏହି ହାରକୁ ଲିକ୍ୱିଡିଟି ଆଡଜଷ୍ଟମେଣ୍ଟ ସୁବିଧା (ଏଲଏଏଫ୍) ଅଧୀନରେ ୬.୫୦ ପ୍ରତିଶତରେ ରଖାଯାଇଥିଲା । ସେହିଭଳି ଷ୍ଟାଣ୍ଡିଂ ଡିପୋଜିଟ ସୁବିଧା (ଏସଡିଏଫ୍) ମଧ୍ୟ ୬.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଥିଲା । ମାର୍ଜିନାଲ୍ ଷ୍ଟାଣ୍ଡିଂ ସୁବିଧା (ଏମଏସଏଫ୍) ୬.୭୫ ପ୍ରତିଶତ ହାରରେ ଅପରିବର୍ତ୍ତିତ ରହିଥିଲା ।

Get real time updates directly on you device, subscribe now.