fbpx

ଜୁଲାଇରେ ବଢିଛି ଜିଏସଟି ପରିମାଣ: ଆଦାୟ ହୋଇଛି ଏତିକି ଲକ୍ଷ କୋଟି

ନୂଆଦିଲ୍ଳୀ: ଜୁଲାଇ ମାସରେ ଦେଶରେ ଜିଏସଟି ଆଦାୟ ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଜୁନ୍ ମାସ ତୁଳନାରେ ପ୍ରାୟ ୨୫ ହଜାର କୋଟି ଟଙ୍କାର ଅଧିକ ଜିଏସଟି ଆଦାୟ ହୋଇଥିବା ଜଣାପଡିଛି । ଜୁନ ମାସରେ ୯୨ ହଜାର ୮୪୯ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିବା ବେଳେ ଜୁଲାଇ ମାସରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୧୬ ହଜାର ୩୯୩ କୋଟିରେ ପହଞ୍ଚିଛି ।

ବର୍ଷକର ଜିଏସଟି ତଥ୍ୟକୁ ହିସାବକୁ ନେଲେ ଜୁଳାଇରେ ଜିଏସଟି ଆଦାୟରେ ୩୩ ପ୍ରତିଶତର ଅଭିବୃଦ୍ଧି ଘଟିଛି । ୮ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଜୁନରେ ଏହା ଏକ ଲକ୍ଷ କୋଟିରୁ କମ ରହିଥିଲା । ଜିଏସଟି ଆଦାୟ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କୋଭିଡ ନିୟମ କୋହଳ କାରଣରୁ ଜିଏସଟି ଆଦାୟ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ଅର୍ଥନୀତି ଦ୍ରୁତ ଗତିରେ ରିକଭରୀ କରୁଛି ବୋଲି ଟ୍ୱିଟ କରିଛନ୍ତି ସୀତାରମଣ । ସେ ଆହୁରି ମଧ୍ୟ କହିଛନ୍ତି ଆସନ୍ତା କିଛି ମାସ ଯାଏଁ ଜିଏସଟି ଆଦାୟ ଏହିଭଳି ରହିବ । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଇ ଜିଏସ୍ଟିରୁ ୨୨୧୯୭ କୋଟି, ଏସ ଜିଏସଟିରୁ ୨୮୫୪୧ କୋଟି, ଆଇ ଜିଏସଟିରୁ ୫୭୮୬୪ କୋଟି ଏବଂ ସେସ ବାବଦରେ ୭୭୯୦ କୋଟି ଟଙ୍କା ଆଦାୟ କରାଯାଇଛି । ପୂର୍ବ ମାସ ଜିଏସଟି ଆଦାୟ ତୁଳନାରେ ଜମ୍ମୁ କାଶ୍ମୀରରେ ୪୫ ପ୍ର୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ ଡାମନ ଓ ଡିଉରେ ଏହା ଋଣାତ୍ମକ ୯୯ ପ୍ରତିଶତ ରହିଛି ।

Get real time updates directly on you device, subscribe now.