fbpx

ଆଜି ବେଲଜିୟମ ବିପକ୍ଷ ସେମିଫାଇନାଲ୍‌ ଟକ୍କର୍‌, ଭାରତ ପାଇଁ ବଡ ଆହ୍ୱାନ

ଟୋକିଓ: ଅଲିମ୍ପିକ୍‌ କ୍ରୀଡା ଇତିହାସରେ ଭାରତ ଏକମାତ୍ର ଦଳ ଭାବେ ସର୍ବାଧିକ ଆଠଥର ସ୍ୱର୍ଣ୍ଣ ପଦକ ଜିତିଥିଲେ ହେଁ ଗତ ୪୧ ବର୍ଷଧରି କୌଣସି ପଦକ ପାଇନାହିଁ । ତେବେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ଭାରତ ଲଢ଼ୁଆ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ପୁଲ ଏ’ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଦଳ ବିଜୟରୁ ଆରମ୍ଭ କରିଥିଲେ ଟୋକିଓ ଅଲିମ୍ପିକ୍ସ ଅଭିଯାନ । ତେବେ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ୧-୭ ଗୋଲରେ ହାରିଯିବା ପରେ ସାମୟିକ ମାନସିକ ଚାପରେ ପଡିଥିଲା । ମାତ୍ର ପରବର୍ତ୍ତୀ ସମୟରେ ଗ୍ରୁପ୍‌ ପର୍ଯ୍ୟୟର ଅନ୍ୟ ତିନି ମ୍ୟାଚରେ ସ୍ପେନ, ୨୦୧୬ ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା ଓ ଶେଷ ଲିଗ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି ପୁଲ ଏ’ରେ ଦ୍ୱିତୀୟ ସ୍ଥାନ ପାଇଛି । ତେବେ ବିଶ୍ୱ ଚାମ୍ପିଅନ ବେଲଜିୟମ ବିପକ୍ଷ ସେମିଫାଇନାଲ ମ୍ୟାଚ ଭାରତ ପାଇଁ ବଡ ଚାଲେଞ୍ଜ । କାରଣ ବେଳଜିୟମ ଚଳିତ ଟୋକିଓ ଅଲିମ୍ପିକ୍ସର ପୁଲ ବି’ରେ ଖେଳିଥିବା ପାଞ୍ଚ ମ୍ୟାଚ ମଧ୍ୟରୁ କୌଣସି ମ୍ୟାଚ ହାରି ନାହିଁ । ଚାରି ବିଜୟ ଓ ଗୋଟିଏ ମ୍ୟାଚ ଡ୍ର ରଖି ଗ୍ରୁପ୍‌ ଟପ୍ପର ହୋଇଛି ।

ସୂଚନା ଯୋଗ୍ୟ ଅଷ୍ଟ୍ରେଲିଆ ମଧ୍ୟ ଅନ୍ୟତମ ସଫଳ ଦଳ ଭାବେ ପୁଲ ଏ’ରେ ପାଞ୍ଚ ମ୍ୟାଚ ମଧ୍ୟରୁ ଚାରି ବିଜୟ ଓ ଗୋଟିଏ ମ୍ୟାଚ ଡ୍ର ରଖି ଶୀର୍ଷ ସ୍ଥାନ ଦଖଲ କରିଛି । ତେଣୁ ବିଶ୍ୱ ଚାମ୍ପିଅନ ବେଲଜିୟମ ପୁଲ ପର୍ଯ୍ୟାୟ ମ୍ୟାଚରେ ନିଜର ଦମ୍‌ ଦେଖାଇ ପାରିଛି। ସେହି ଦୃଷ୍ଟିରୁ ଭାରତ ବିପକ୍ଷ ମ୍ୟାଚରେ ସେହି ସଫଳତା ଦୋହରାଇବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ତେଣୁ ଭାରତୀୟ ଦଳ ସମସ୍ତ ଶକ୍ତି ଖଟାଇ ଲଢ଼ିବାକୁ ପଡିବ । ପୁଣିଥରେ ସୂଚାଇ ଦିଆ ଯାଇ ପାରେ ଯେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତକୁ ୩-୧ ଗୋଲରେ ପରାସ୍ତ କରିଥିଲା ବେଳଜିୟମ । ତେବେ ୨୦୧୯ ୟୁରୋପୀୀୟ ଗସ୍ତ ଅବସରରେ ଭାରତ ଖେଳିଥିବା ତିନି ମ୍ୟାଚରେ ବେଲଜିୟମକୁ ୨-୦, ୩-୧ ଓ ୫-୧ରେ ପରାସ୍ତ କରିଥିଲା ।

ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତୀୟ ଦଳର ୟୁରୋପ ଗସ୍ତ ବେଳେ ବେଲଜିୟମକୁ ମଧ୍ୟ ୩-୨ରେ ହରାଇଥିଲା । ତେଣୁ ବେଲଜିୟମ ବିରୋଧରେ ଭାରତ ଖେଳିଥିବା ଶେଷ ପାଞ୍ଚ ମ୍ୟାଚରେ ଭାରତ ଅପରାଜେୟ ରହି ସବୁ ମୁକାବିଲାରେ ବିଜୟୀ ହୋଇଛି । ତେଣୁ ଏହି ପ୍ରଦର୍ଶନକୁ ନେଇ ଭାରତୀୟ ଦଳ ନିଶ୍ଚିତ ଉତ୍ସାହୀ ଅଛନ୍ତି । ମାତ୍ର ଅଲିମ୍ପିକ୍ସ ଲଢ଼େଇ ସମ୍ପୂର୍ଣ୍ଣ ନିଆରା ଓ ଚାଲେଞ୍ଜ । କାରଣ ଦ୍ୱିପାକ୍ଷିକ ସିରିଜ ଓ ଅଲିମ୍ପିକ୍ସ ମୁକାବିଲା ମଧ୍ୟରେ ଅନେକ ତଫାତ ରହିଛି । ଦେଶପାଇଁ ଅଲିମ୍ପିକ୍ସ ପଦକ ଜିତିବା ପ୍ରତ୍ୟେକ ଦଳ ପାଇଁ ବଡ ଆହ୍ୱାନ । ଦ୍ୱିତୀୟତଃ ବେଲଜିୟମ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛି । ପୁଲ ପର୍ଯ୍ୟାୟର କୌଣସି ମ୍ୟାଚ ହାରି ନ ଥିବାରୁ ମନବଳ ଅତି ଦୃଢ଼ ରହିଛି । ତେବେ ଭାରତ ଏଥିପ୍ରତି ନଜର ନ ଦେଇ ନିଜର ସ୍ୱାଭାବିକ ଶୈଳୀରେ ଲଢ଼େଇ କଲେ ରେଡ ଲାୟନ୍ସ ଭାବେ ପରିଚିତ ବେଲଜିୟମ ଟକ୍କରରେ ବିଜୟୀ ହୋଇ ନିଶ୍ଚିତ ଆଗକୁ ଯାଇ ପାରିବ ବୋଲି ବିଶ୍ୱାସ । ଏଥିପାଇଁ ମନରେ ଦୃଢତା ଆଣିବା ଦରକାର ।

Get real time updates directly on you device, subscribe now.