fbpx

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩

ସାଉଥମ୍ପଟନ: ପ୍ରଥମ ଦିନର ଖେଳ ବର୍ଷା କାରଣରୁ ବାତିଲ୍ ହେବା ପରେ ବହୁପ୍ରତୀକ୍ଷିତ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଶନିବାର ଆରମ୍ଭ ହୋଇଛି। ହେଲେ ଖରାପ ଆଲୋକ ଯୋଗୁଁ ଦ୍ଵିତୀୟ ଦିନରେ ମଧ୍ୟ ନିର୍ଦ୍ଧାରିତ ଓଭର ଖେଳ ହୋଇ ପାରିନାହିଁ। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬୪.୪ ଓଭରରେ ୩ ଓ୍ଵିକେଟ୍ ହରାଇ ୧୪୬ ରନ କରିଛି। କ୍ରିଜରେ ଅଧିନାୟକ ବିରାଟ କୋହଲି ୪୪ ଏବଂ ଆଜିଙ୍କ୍ୟ ରାହାଣେ ୨୯ ରନ କରି ଅପରାଜିତ ଅଛନ୍ତି। ତୃତୀୟ ଦିନରେ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ ଜୋଡି ଉପରେ ସଭିଙ୍କ ନଜର ରହିବ। ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହେବା ପରେ ଦ୍ଵିତୀୟ ଦିନରେ ୯୮ ଓଭର ଖେଳାଯିବାର ଥିଲା। ହେଲେ ପ୍ରତିକୂଳ ପାଗ ଏବଂ ଖରାପ ଆଲୋକ ଯୋଗୁଁ ଦ୍ଵିତୀୟ ଦିନର ଖେଳ ନଷ୍ଟ ହୋଇଛି।

ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍ ଦ୍ରୁତ ବୋଲରଙ୍କୁ ସୁହାଇଥିବା ପିଚ୍ରେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଓପନିଂ ଯୋଡିରେ ୬୨ ରନ ଯୋଡି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ରୋହିତ ଶର୍ମାଙ୍କୁ ଆାଉଟ୍ କରି କାଇଲ ଜେମିସନ ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ।

କ୍ରିଜରେ ଜମି ଆସୁଥିବା ରୋହିତ ୬ ଚୌକା ସହ ୩୪ ରନ କରି ଆଉଟ୍ ହୋଇଥିଲେ। ରୋହିତଙ୍କ ପରେ ଶୁବମାନ ଗିଲ୍ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଏକ ରନ ବ୍ୟବଧାନରେ ଗିଲ୍ ୨୮ ରନ କରି ଓ୍ଵାଗନରଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ୬୩ ରନରେ ଭାରତ ଦୁଇ ଓ୍ଵିକେଟ୍ ହରାଇବା ପରେ ଭାରତୀୟ ଦଳର ନୂତନ ଓ୍ଵାଲ୍ କୁହାଯାଉଥିବା ଚେତେଶ୍ଵର ପୂଜାରା ମାତ୍ର ୮ ରନକରି ଟ୍ରେଣ୍ଟ ବୋଲ୍ଟଙ୍କ ବଲରେ ଆଉଟ୍ ହୋଇଥିଲେ।

୮୮ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଭାରତର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ କିଓ୍ଵି ବୋଲରଙ୍କ ମୁକାବିଲା କରି ଚତୁର୍ଥ ଓ୍ଵିକେଟ୍ରେ ୫୮ ରନ ଯୋଡି କ୍ରିଜରେ ଅପରାଜିତ ଅଛନ୍ତି। ଖରାପ ଆଲୋକ ଯୋଗୁଁ ଦ୍ଵିତୀୟ ଦିନର ଖେଳ ବାଧା ପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ ସୁଧାର ନଆସିବାରୁ ଖେଳ ପୁର୍ନବାର ଆରମ୍ଭ କରାଯାଇ ପାରିନଥିଲା। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୪୬ ରନ କରିଛି। ଅଧିନାୟକ ବିରାଟ କୋହଲି ୪୪ ଓ ଆଜିଙ୍କ୍ୟ ରାହାଣେ ୨୯ ରନ ଅପରାଜିତ ଅଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, କାଇଲ ଜେମିସନ ଓ ନିଲ୍ ଓ୍ଵାଗନର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Get real time updates directly on you device, subscribe now.