ନୂଆଦିଲ୍ଲୀ: ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ବାଜିମାତ୍ କରିଛି ଭାରତୀୟ ମହିଳା ଦଳ । ଆଜି ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ପ୍ରତିପକ୍ଷ ଜାପାନରେ ୨-୦ ଗୋଲ ବ୍ୟବଧାନରେ ପରାସ୍ତ କରି ଭାରତ ସେମିରେ ପ୍ରବେଶ କରିଛି । ମ୍ୟାଚର ୪୮ତମ ମିନିଟରେ ଭାରତ ପକ୍ଷରୁ ନବନୀତ କୌର ପ୍ରଥମ ଗୋଲ ସ୍କୋର କରିଥିଲେ । ଏହାପରେ ୫୬ତମ ମିନିଟରେ ଲାଲରେମାସିଆମି ଏକ ପେନାଲ୍ଟୀ ଷ୍ଟ୍ରୋକକୁ ଗୋଲରେ ପରିଣତ କରିଥିଲେ । ସୂଚନାଯୋଗ୍ୟ ଯେ, ଚଳିତ ଟୁର୍ଣ୍ଣାମେଣ୍ଟର ସମସ୍ତ ଲିଗ୍ ମ୍ୟାଚରେ ଭାରତ ଅପରାଜେୟ ରହିଥିଲା ।
ସେହିପରି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲରେ ମାଲେସିଆକୁ ୩-୧ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଚୀନ । ଏହାଫଳରେ ଏଥର ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ମହିଳା ହକି ଫାଇନାଲରେ ଭାରତ ଓ ଚୀନ ପରସ୍ପର ସହ ଲଢ଼ିବେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଚୀନ ବିପକ୍ଷରେ ୩-୦ରେ ବିଜୟ ହାସଲ କରିଥିବାରୁ ଫାଇନାଲରେ ଭାରତର ପଲା ଭାରି ରହିବା ନେଇ ଆଶା କରାଯାଉଛି । ସେହିପରି ବିଶ୍ୱର ୧୧ ରାଙ୍କିଂ ପ୍ରାପ୍ତ ଜାପାନକୁ ହରାଇବା ପରେ ମଧ୍ୟ ଭାରତୀୟ ମହିଳା ବାହିନୀଙ୍କ ଆତ୍ମବିଶ୍ୱାସ ବେଶ୍ ବୃଦ୍ଧି ପାଇଛି ।