fbpx
BJD SKY
BJD SKY

ଭାରତରେ କେତେ ସଫଳ Marriage Life? ଏହି ଦେଶରେ ସବୁଠୁ ଅଧିକ ଭାଙ୍ଗେ ବିବାହ ସମ୍ପର୍କ

BJD

ନୂଆଦିଲ୍ଲୀ: ପରିବାରରେ ସମ୍ପର୍କ ଏବଂ ସମ୍ପର୍କର ମହତ୍ତ୍ୱ ବଜାୟ ରଖିବା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ସମ୍ପର୍କକୁ ଦୀର୍ଘସ୍ଥାୟୀ କରିବା ଦିଗରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଖୁବ ଆଗରେ ରହିଛି । ଭାରତରେ ବୈବାହିକ ସମ୍ପର୍କ ବାକି ସମସ୍ତ ଦେଶ ଅପେକ୍ଷା ଖୁବ ଚିରସ୍ଥାୟୀ ହୋଇ ରହିଥାଏ । ତେବେ ଅନେକ ଦେଶରେ ଦାମ୍ପତ୍ୟ ଜୀବନ ଛାଡ଼ପତ୍ରରେ ଶେଷ ହେଉଥିବା ବେଳେ ଭାରତରେ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖାଯାଉଛି । ସମ୍ପର୍କକୁ ବୁଝି ସୁଖ-ଦୁଃଖରେ ଜୀବନ ଅତିବାହିତ କରିବାରେ ପୃଥିବୀରେ ଭାରତୀୟମାନେ ଅନ୍ୟ ଦେଶର ଅଧିବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ବୈବାହିକ ସମ୍ପର୍କ ଏବଂ ଏହାପରେ ହେଉଥିବା ଛାଡ଼ପତ୍ର ମାମଲାକୁ ନେଇ ଏକ ସର୍ଭେ କରାଯାଇଛି । ଯେଉଁଥିରେ ବାଜି ମାରି ନେଇଛନ୍ତି ଭାରତର ବାସିନ୍ଦା ଏବଂ ସାରା ବିଶ୍ୱ ପାଇଁ ଏକ ଉଦାହରଣ ସାଜିଛନ୍ତି । କାରଣ ୱାର୍ଲ୍ଡ ଅଫ ଷ୍ଟାଟିଷ୍ଟିକ୍ସର ଏହି ସର୍ଭେ ଅନୁସାରେ, ବିବାହ ପରେ ଭାରତରେ ମାତ୍ର ୧% ପ୍ରତିଶତ ଦମ୍ପତ୍ତିଙ୍କର ଛାଡ଼ପତ୍ର ହୋଇଥାଏ । ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଥିବା ଦେଶରେ ପ୍ରାୟ ୯୪% ବିବାହିତ ଦମ୍ପତ୍ତିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଛାଡ଼ପତ୍ର ହୋଇଥାଏ । ଏହି ତାଲିକାର ସବୁଠୁ ଆଗରେ ରହିଛି ପର୍ତ୍ତୁଗାଲ । ତେବେ ଏସିଆ ମହାଦେଶରେ ସବୁଠାରୁ କମ୍ ଦମ୍ପତ୍ତି ପରସ୍ପର ମଧ୍ୟରେ ଛାଡ଼ପତ୍ର ଦେଇଥାନ୍ତି । କିନ୍ତୁ ୟୁରୋପ ଏବଂ ଆମେରିକାରେ ସବୁଠାରୁ ଅଧିକ ପରିବାର ଭାଙ୍ଗିଥାଏ । ଏସିଆ ମହାଦେଶର ବିଭିନ୍ନ ଦେଶମାନଙ୍କ ମଧ୍ୟରେ କେବଳ ପାକିସ୍ତାନକୁ ବାଦ୍ ଦିଆଯାଇଛି ।

ଛାଡ଼ପତ୍ର ମାମଲାରେ ଭାରତ ସବୁଠାରୁ କମ୍(୧%) ସହିତ ତାଲିକାର ଶେଷ ସ୍ଥାନରେ ଥିବା ବେଳେ ଏହାପରେ ଭିଏତନାମାରେ ୭% ରହିଛି ଛାଡ଼ପତ୍ର ଘଟଣା । ସେହିପରି ତାଜିକିସ୍ତାନରେ ୧୦%, ଇରାନ୍ ୧୪% ଏବଂ ମେକ୍ସିକୋରେ ୧୭% ଦାମ୍ପତ୍ୟ ଜୀବନ ବେଶୀ ଦିନ ତିଷ୍ଠି ପାରେ ନାହିଁ । ତେବେ ସବୁଠାରୁ କମ୍ ଛାଡ଼ପତ୍ର ମାମଲା ଥିବା ୧୦ଟି ଦେଶ ମଧ୍ୟରେ ମିଶର, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ତୁର୍କୀ ଏବଂ କୋଲୋମ୍ବିଆ ଆଦି ଦେଶ ସାମିଲ ରହିଛନ୍ତି । ଜାପାନରେ ଏହି ପ୍ରତିଶତ ୩୫ରେ ପହଞ୍ଚିଥିବା ବେଳେ ଜର୍ମାନୀରେ ୩୮, ବ୍ରିଟେନରେ ୪୧, ଚୀନରେ ୪୪ ଏବଂ ଆମେରିକାରେ ୪୫% ସମ୍ପର୍କ ଛାଡ଼ପତ୍ରରେ ଶେଷ ହୋଇଥାଏ ।

ସେହିପରି ଦକ୍ଷିଣ କୋରିଆ, ଡେନମାର୍କ, ଇଟାଲୀରେ ୪୬% ବିବାହ ଭାଙ୍ଗିଯାଉଥିବା ରେକର୍ଡ ହୋଇଛି । ଏହାପରେ କାନାଡ଼ାରେ ୪୭ ଏବଂ ନେଦରଲାଣ୍ଡରେ ୪୮% ଲୋକଙ୍କ ବୈବାହିକ ଜୀବନ ସଫଳ ହୋଇନାହିଁ । ତେବେ ବିଶ୍ୱର ୫ଟି ଦେଶରେ ୫୦%ରୁ ଅଧିକ ବିବାହ ସମ୍ପର୍କ ଭାଙ୍ଗି ଯାଉଥିବା ବେଳେ ଅନ୍ୟ ୫ଟି ଦେଶରେ ୭୦%ରୁ ଅଧିକ ବିବାହ ସମ୍ପର୍କ ନଷ୍ଟ ହୋଇ ଯାଉଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

Get real time updates directly on you device, subscribe now.