fbpx

ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଇତିହାସ ରଚିଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହିତ ସୂକ୍ଷ୍ମ ଅବତରଣ କଲା ଚନ୍ଦ୍ରଯାନ-୩। ଏହାସହିତ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ମିଳିଛି ଅଭୂତପୂର୍ବ ସଫଳତା। ଆମେରିକା, ଋଷ ଏବଂ ଚୀନ୍ ପରେ ଚତୁର୍ଥ ଦେଶ ଭାବେ ଭାରତ ଏହି ସଫଳତା ହାସଲ କରିଛି। ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ସାରା ପୃଥିବୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା ୪ ମିନିଟ୍‍ ରେ ଅବତରଣ କରିବାର ସଫଳ ହୋଇଛି ଇସ୍ରୋ। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ର ଚନ୍ଦ୍ରାବତରଣ କାର୍ଯ୍ୟକ୍ରମକୁ ଜୋହାନ୍ସବର୍ଗରୁ ଆଭାସୀ ଜରିଆରେ ଅବତରଣର ସାକ୍ଷୀ ହୋଇଛନ୍ତି।

ଭାରତୀୟ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଶ୍ରେଷ୍ଠ ନିଦର୍ଶନ ସ୍ୱରୂପ ଭାରତର ଏହି ଅଭିଯାନ ଦେଶ ପାଇଁ ଗୌରବ ଆଣିଛି। ସୂକ୍ଷ୍ମ ଅବତରଣ ପାଇଁ ସମସ୍ତ ଦିଗ ଅନୁକୂଳ ରହିଥିବା ପୂର୍ବରୁ ଇସ୍ରୋ ପକ୍ଷରୁ କୁହାଯାଇଥିଲା। ଚନ୍ଦ୍ରଯାନ-୩ର ଅବତରଣ ଦୃଶ୍ୟକୁ ଦେଶବାସୀ ଜାତୀୟ ଟେଲିଭିଜନ ଚ୍ୟାନେଲ୍‍ ଦୂରଦର୍ଶନ ସହିତ ଅନ୍ୟ ଟିଭି ଚ୍ୟାନେଲ୍‍, ଇସ୍ରୋ ୱେବ୍‍ସାଇଟ୍‍, ୟୁଟ୍ୟୁବ୍‍ ଚ୍ୟାନେଲ୍‍ ଏବଂ ଫେସ୍‍ବୁକ୍‍ ପେଜ୍‍ରେ ଏହି ପ୍ରକ୍ରିୟାକୁ ସିଧାପ୍ରସାରଣରେ ଦେଖିଥିଲେ।

ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩ର ଅବତରଣ ପୂର୍ବରୁ ଲ୍ୟାଣ୍ଡର ‘ବିକ୍ରମ’ ର ସମସ୍ତ ସେନ୍‍ସର୍‍କୁ ସକ୍ରିୟ କରିଥିଲେ। ଏହାପରେ ଭାରତୀୟ ବୈଜ୍ଞାନିକମାନେ ବୈଷୟିକ ଜ୍ଞାନର ଶ୍ରେଷ୍ଠ ପ୍ରଦର୍ଶନ କରି ସଠିକ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଅବତରଣ କରିବାରେ ସଫଳ ହୋଇଥିଲେ। ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ପାଇଥିଲା। ପୂର୍ବରୁ ଆମେରିକା, ରୁଷ ଓ ଚୀନ୍‍ ସଫଳତାର ସହିତ ଚନ୍ଦ୍ରଯାନ ପଠାଇଥିଲେ ମଧ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଆଜିପର୍ଯ୍ୟନ୍ତ କୌଣସି ଦେଶ ସେମାନଙ୍କର ଯାନକୁ ଅବତରଣ କରିପାରି ନାହାନ୍ତି ।

ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ପରବର୍ତ୍ତୀ ଅଭିଯାନ। ଚନ୍ଦ୍ରଯାନ-୩ରେ ଥିବା ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଜଳ, ଜୀବସତ୍ତା, ବାୟୁମଣ୍ଡଳ ଓ ଖଣିଜପଦାର୍ଥ ସମ୍ପର୍କରେ ତଥ୍ୟ ପ୍ରେରଣ କରିବ । ‘ବିକ୍ରମ୍‍’ ଓ ରୋଭର ‘ପ୍ରଜ୍ଞାନ’ ନିରାପଦ ଓ ସୁରକ୍ଷିତ ଅଛନ୍ତି ବୋଲି ନିଶ୍ଚିତ ହେଲାପରେ ଏହାଦ୍ୱାରା ଇସ୍ରୋ ଚନ୍ଦ୍ରର ମାଟି ଏବଂ ପ୍ଲାଜମା ପରିବେଶ ଅଧ୍ୟୟନ ପାଇଁ ବିଭିନ୍ନ ପରୀକ୍ଷା ଆରମ୍ଭ କରିବ । ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପରୀକ୍ଷଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଦ୍ୱିତୀୟ ଲଞ୍ଚପ୍ୟାଡ୍‍ରୁ ଚନ୍ଦ୍ରଯାନ-୩ ଉତ୍‍କ୍ଷେପଣ କରାଯାଇଥିଲା । ଚଳିତମାସ ୧ ତାରିଖରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ୫ ତାରିଖରେ ଏହା ସଫଳଭାବେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ-୩କୁ ବିଭିନ୍ନ ପର୍ଯ୍ୟାୟରେ ଚନ୍ଦ୍ରର ନିକଟତର କରାଯାଇଥିଲା ।

Get real time updates directly on you device, subscribe now.