fbpx

ଆଜି ରିଜର୍ଭ ଡେ’ରେ ବି ବାତିଲ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ: କ’ଣ କହୁଛି ପାଣିପାଗ?

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୩ର ସୁପର-୪ ଷ୍ଟେଜରେ ଭାରତ-ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଢାଙ୍କି ହୋଇ ରହିଛି । ପ୍ରଥମ ଦିନ ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୋଇଥିବା ବେଳେ ଏହାକୁ ରିଜର୍ଭ ଡେ’ରେ ଖେଳାଯିବାର ନିଷ୍ପତ୍ତି ନିଆଯାଇଛି । ତେବେ ଆଜି ମଧ୍ୟ ଏହି ମ୍ୟାଚ ବାତିଲ କରାଯାଇପାରେ । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମନରେ ହତାଶ ଦେଖିବାକୁ ମିଳିଛି । କାରଣ ପାଣିପାଗ ସୂଚନା ଅନୁସାରେ, ଆଜି ମଧ୍ୟ କଲମ୍ବୋରେ ପ୍ରବଳ ବର୍ଷା ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମ୍ୟାଚ ବାତିଲ ହେବାର ଆଶଙ୍କା ବୃଦ୍ଧି ପାଇଛି ।

ଭାରତ-ପାକିସ୍ତାନ ମହାମୁକାବିଲାରେ ବର୍ଷା ବାଧକ ସାଜିବାରୁ ଏହାକୁ ସୋମବାର ରିଜର୍ଭ ଡେ’ରେ ଖେଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଆଜି ମଧ୍ୟ କଲମ୍ବୋରେ ପାଣିପାଗ ବିଭାଗ ତରଫରୁ ବର୍ଷାର ପୂର୍ବାନୁମାନ କରାଯାଇଛି । ଏମଇଟି ବିଭାଗ ଅନୁଯାୟୀ, ଆଜି ଏଠାରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରୀ ରହିଥିବା ବେଳେ ବର୍ଷାର ସମ୍ଭାବନା ୯୭% ରହିଛି । ଏହାବ୍ୟତୀତ ଆର୍ଦ୍ରତା ୮୧ ପ୍ରତିଶତ ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଦିନ ୩ଟା ବେଳେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଏହି ସମୟରେ କଳାବାଦଲ ଢାଙ୍କି ହୋଇ ରହିବା ସହିତ ୯୯% ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଏମଇଟି ବିଭାଗ । ମ୍ୟାଚ ଆୟୋଜନ ହେବାକୁ ଥିବା ସମୟରେ ପ୍ରାୟ ୧୭.୯-୧୮ ମି.ମି ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି ।

ମ୍ୟାଚରେ ଏବେ ସୁଦ୍ଧା ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଛି । ଓପନର ରୋହିତ ଏବଂ ଗିଲଙ୍କ ଦମଦାର ଅର୍ଦ୍ଧଶତକ ଭାରତକୁ ୧୦୦ ପାର୍ କରିଥିଛି । ତେବେ ଉଭୟ ଆଉଟ ହୋଇ ପାଭିଲିୟନ ପେରିବା ପରେ ବର୍ତ୍ତମାନ ବିରାଟ କୋହଲି ଏବଂ କେ.ଏଲ ରାହୁଲ ଦଳର ପାଳି ଆରମ୍ଭ କରିବେ । କାଲି ବର୍ଷା ପାଇଁ ମ୍ୟାଚ ଅଟକିବା ପର୍ଯ୍ୟନ୍ତ ରାହୁଲ ୨୮ ବଳରୁ ୧୭ ଏବଂ ବିରାଟ ୧୬ ବଲରୁ ୮ ରନ୍ କରି ଅପରାଜିତ ରହିଥିଲେ । ଆଜି ଏହିଠାରୁ ହିଁ ଖେଳ ଆରମ୍ଭ କରିବେ ବିରାଟ-ରାହୁଲ ଯୋଡ଼ି ।

Get real time updates directly on you device, subscribe now.