fbpx

ଚୀନ ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ଭାଇରସର ଏହି ଭୟଙ୍କର ସ୍ଥିତି ପାଇଁ ଚୀନ ନାଗରିକଙ୍କ ଅନଲାଇନ୍ ଭିସା ଆବେଦନ ଉପରେ ସାମୟିକ କଟକଣା ଜାରି କରିଛି ଭାରତ । ଏହାସହ ଚୀନରେ ଥିବା ଅନ୍ୟ ବିଦେଶୀ ନାଗରିକଙ୍କ ଭିଜା ଆବେଦନ ଉପରେ ମଧ୍ୟ କଟକଣା ଜାରି ହୋଇଛି । ଭାରତ, ଆମେରିକା ଏବଂ ବ୍ରିଟେନ୍‌ ସମେତ ୨୫ଟି ଦେଶରେ ଏହି ଭାଇରସ ନିଜର କାୟା ବିସ୍ତାର କରିଚାଲିଛି । ଏନେଇ ଚାଇନାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରି କୁହାଯାଇଛି କିଛି ଘଟଣାକୁ ଆଖି ଆଗରେ ରଖି ଇ-ଭିସା ଜରିଆରେ ଭାରତ ଗସ୍ତ ସାମୟିକ ଭାବେ ବାତିଲ କରାଯାଇଛି । ଏହା ସମସ୍ତ ଚାଇନା ପାସପୋର୍ଟ ସହ ପିପୁଲ୍ସ ରିପବ୍ଲିକ୍ ଚାଇନାରେ ରହୁଥିବା ଅନ୍ୟ ଦେଶର ନାଗରିକଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେଲା କରାଯାଇଛି।

ଏହାରି ମଧ୍ୟରେ ଭାରତରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ । ବ୍ୟକ୍ତି ଜଣକ କେରଳର ଥିବା ବେଳେ ସେ ଗତ ଜାନୁଆରୀ ୨୪ରେ ଚୀନରୁ ଫେରିଥିଲେ । ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଛି ।

ତେବେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ଥିବା ବେଳେ ଏଥିରେ ୧୧,୭୯୧ ଜଣ ଆକ୍ରାନ୍ତ ହୋଇଛନ୍ତି । ପୂର୍ବରୁ କେରଳରେ ଜଣେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହୋଇଥିଲେ । ସେ ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିଲେ । କେରଳ ଆସିବା ପରେ ତାଙ୍କ ଗଳାରେ ଇନଫେକ୍ସନ ହୋଇଥିବା ଜଣାପଡିଲା । ପରୀକ୍ଷା ପରେ କରୋନା ଭାଇରସ୍ ହୋଇଥିବା ରିପୋର୍ଟ ଆସିଥିଲା ।

Get real time updates directly on you device, subscribe now.