fbpx

ପିଙ୍କ ବଲ୍ ଟେଷ୍ଟରେ ବିଜୟଠୁ ୯ ଓ୍ଵିକେଟ୍ ଦୂରରେ ଭାରତ, ଦ୍ଵିତୀୟ ଦିନରେ ଶ୍ରୀଲଙ୍କା ୨୮/୧

AAKASH

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଖେଳାଯାଉଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତର ପଲ୍ଲା ଭାରି ରହିଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଦ୍ଵିତୀୟ ଇନିଂସରେ ଗୋଟିଏ ଓ୍ଵିକେଟ୍ ବିନିମୟରେ ୨୮ ରନ କରିଛି। କୁଶଲ ମେଣ୍ଡିସ ୧୬ ଏବଂ ଦିମୁଥ କରୁଣାରତ୍ନେ ୧୦ ରନ କରି କ୍ରିଜରେ ଅଛନ୍ତି। ଶ୍ରୀଲଙ୍କାକୁ ବିଜୟ ପାଇଁ ୪୧୯ ରନ ଦରକାର ଥିବା ବେଳେ ଭାରତକୁ ୯ ଓ୍ଵିକେଟ୍ ଆବଶ୍ୟକ।

ଦ୍ଵିତୀୟ ଇନିଂସରେ ଶ୍ରୀଲଙ୍କାର ଆରମ୍ଭ ଖରାପ ଥିଲା। ପ୍ରଥମ ଓଭର ତୃତୀୟ ବଲ୍ରେ ହିଁ ଲାହିରୁ ଥିରିମାନେ ବୁମରାଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ସେ ଖାତା ମଧ୍ୟ ଖୋଲି ପାରିନଥିଲେ। ଏହା ପୂର୍ବରୁ ଭାରତ ୩୦୩/୯ରେ ଦ୍ଵିତୀୟ ଇନିଂସ ଘୋଷଣା କରିଥିଲା। ଏହା ପରେ ଶ୍ରୀଲଙ୍କାକୁ ୪୪୭ ରନର ବିଜୟ ଲକ୍ଷ୍ୟ ମିଳିଛି। ଭାରତ ପକ୍ଷରୁ ଦ୍ଵିତୀୟ ଇନିଂସରେ ଶ୍ରେୟସ ଆୟର ସର୍ବାଧିକ ୬୭ ରନ ଏବଂ ଋଷଭ ପନ୍ତ ୫୦ ରନର ଯୋଗଦାନ ଦେଇଥିଲେ। ପନ୍ତ ମାତ୍ର ୨୮ ବଲ୍ରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟ୍ରେ ଭାରତ ପକ୍ଷରୁ ସେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହା ବ୍ୟତୀତ ଅଧିନାୟକ ରୋହିତ ଶର୍ମା ୪୬ ରନ, ମୟଙ୍କ ଅଗ୍ରଓ୍ଵାଲ ଏବଂ ଜାଡେଜା ୨୨-୨୨ ରନ କରିଥିଲେ। ପ୍ରଥମ ଦିନର ଅସମାପ୍ତ ଖେଳ ୮୬/୬ରୁ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ବୁମରା ଦୁଇଟି ଏବଂ ଅଶ୍ଵିନ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇ ଶ୍ରୀଲଙ୍କା ଇନିଂସର ଅନ୍ତ ଘଟାଇଥିଲେ। ୧୦୯ ରନରେ ଶ୍ରୀଲଙ୍କା ପ୍ରଥମ ଇନିଂସ ପରିସମାପ୍ତି ଘଟିଥିଲା। ଶ୍ରୀଲଙ୍କା ପକ୍ଷରୁ ଆଞ୍ଜେଲା ମାଥ୍ୟୁସ ସର୍ବାଧିକ ୪୩ ରନ କରିଥିବା ବେଳେ ଡିକଓ୍ଵାଲେ ୨୧ ରନ କରିଥିଲେ। ବାକି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ବୁମରା ମାତ୍ର ୨୪ ରନ ଦେଇ ୫ ଓ୍ଵିକେଟ୍ ନେଇଥିବା ବେଳେ ଅଶ୍ଵିନ ୩୦ ରନ ଦେଇ ୨, ଶାମି ୧୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.