fbpx

ବିଶ୍ୱକପ୍‌ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ରୋମାଞ୍ଚକର ବିଜୟ

୫ ଓ୍ବିକେଟରେ ଜିତିଲା ଟିମ ଇଣ୍ଡିଆ

ଦୁବାଇ : ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ବିରାଟ କୋହଲିଙ୍କ ଲଢୁଆ ବ୍ୟାଟିଂ ଫଳରେ ଭାରତ ଚଳିତ ଏସିଆକପ୍‌ କ୍ରିକେଟର ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୮ ରନ୍‌ ବିଜୟ ଟାର୍ଗେଟ ଧାର୍ଯ୍ୟ କରିଥିବାବେଳେ ଭାରତ ୫ ୱିକେଟ ହରାଇ ୧୯.୪ ଓଭରରେ ବିଜୟ ହାସଲ କରି ନେଇଥିଲା । ଅଧିନାୟକ ରୋହିତ ଶର୍ମା ୧୨, କେ.ଏଲ. ରାହୁଲ ୦, କୋହଲି ୩୫, ସୂର୍ଯ୍ୟକୁମାର ଯାଦବ ୧୮ ରନ୍‌ ଆଉଟ୍‌ ହେବା ପରେ ରବୀନ୍ଦ୍ର ଜାଡେଜା ୨ ଚୌକା ଓ ୨ ଛକା ସହାୟତାରେ ୨୯ ବଲରୁ ୩୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪ ଚୌକା ଓ ୧ ଛକା ସହାୟତାରେ ୧୭ ବଲରୁ ଅପରାଜିତ ୩୩ ରନ୍‌ କରି ଭାରତର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ । ଗତବର୍ଷ ଅନୁଷ୍ଠିତ ଟି- ୨୦ବିଶ୍ୱକପ୍‌ରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରିଥିବାବେଳେ ଚଳିତ ଏସିଆ କପ୍‌ରେ ଭାରତ ଏହି ପରାଜୟର ପ୍ରତିଶୋଧ ନେଇଛି ।

ଟସ୍‌ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯.୫ ଓଭରରେ ୧୪୭ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତୀୟ ବୋଲରମାନେ ପ୍ରାରମ୍ଭରୁ ଆଧିତ୍ୟ ଜାହିର କରି ଗୋଟିଏ ପରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିବା ଫଳରେ ପାକିସ୍ତାନ ବ୍ୟାଟରମାନେ ହାତଖୋଲା ସର୍ଟ ଖେଳିବା ସୁଯୋଗ ପାଇନଥିଲେ । ଓପନର ମହମ୍ମଦ ରିଜୱାନ ଗୋଟିଏ ଛକା ଓ ୪ଚୌକା ବଳରେ ୪୨ ବଲ୍‌ରେ ୪୩ ରନ୍‌ କରି ଗୋଟିଏ ପଟେ ସଂଘର୍ଷ ଜାରି ରଖିଥିବା ବେଳେ ପାକିସ୍ତାନ ଲଗାତର ୱିକେଟ୍‌ ହରାଇଥିଲା । ଅଧିନାୟକ ବାବର ଆଜମ୍‌ ୧୦ ରନ୍‌ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ବୋଲିଂର ଶିକାର ହୋଇଥିଲେ । ସେହି ରି ଫକର ଜାମନ ୧୦ ରନ୍‌ କରି ଆଉଟ୍‌ ହେବା ପରେ ପାକିସ୍ତାନ ସଙ୍କଟରେ ପଡ଼ିଥିଲା । ତେବେ ଇଫ୍‌ତିକାର ଅହମଦ ୨୮ ରନ୍‌ କରିବା ସହିତ ମହମ୍ମଦ ରିଜୱାନଙ୍କ ସହିତ ଦଳର ସ୍ଥିତିକୁ ସମ୍ଭାଳିଥିଲେ । ତେବେ ଇଫ୍‌ତିକାର ଆଉଟ୍‌ ହେବା ପରେ ପାକିସ୍ତାନର ନିମ୍ନଭାଗ ବ୍ୟାଟରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨୬ ରନ୍‌ରେ ୪ ଓ ହାର୍ଦ୍ଧିକ ପାଣ୍ଡ୍ୟା ୨୫ ରନ୍‌ରେ ୩ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଅନ୍ୟତମ ପ୍ରେସର ଅର୍ଶଦୀପ୍‌ ସିଂ ୨ ଓ ଅଭେଶ ଖାନ୍‌ ଗୋଟିଏ ୱିକେଟ୍‌ ହାସଲ କରିଥିଲେ ।

ସୂଚନା ମୁତାବିକ, ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହୋଇ ଟି-ଟ୍ୱେଣ୍ଟିରେ ପାକିସ୍ତାନ ବିପକ୍ଷରେ ସପ୍ତମ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌କୁ ମିଶାଇ ଦୁଇ ଦଳ ୧୦ ଥର ସାମ୍ନା ସାମ୍ନି ହୋଇଛନ୍ତି । ଏଥିରୁ ଭାରତ ୭ଟି ଏବଂ ପାକିସ୍ତାନ ୨ଟିରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍‌ ଟାଇ ରହିଛି ।

Get real time updates directly on you device, subscribe now.