fbpx

ପଞ୍ଚମ ଦିବସରେ ୭ମ ସ୍ୱର୍ଣ୍ଣ: ପୁରୁଷ ଡବଲ୍ସ SL3-SL4 ବ୍ୟାଡମିଣ୍ଟନ ଫାଇନାଲରେ ଭାରତୀୟ ଯୋଡ଼ିଙ୍କ ବିଜୟ

Advertisement

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉଠାରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ଆଜି ହେଉଛି ପଞ୍ଚମ ଦିବସ । ପ୍ରଥମ ଦିନରେ ଭାରତ ୬ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ଦ୍ୱିତୀୟ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୭ଟି ପଦକ, ତୃତୀୟ ଦିନରେ ୬ଟି ସ୍ୱର୍ଣ୍ଣ ସହିତ ୩୦ଟି ପଦକ ଓ ଚତୁର୍ଥ ଦିନରେ ୩ଟି ସ୍ୱର୍ଣ୍ଣ ସହିତ ୧୮ଟି ପଦକ ଜିତିଥିଲା । ଏହା ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୨ରେ ପହଞ୍ଚିବା ସହିତ ସେଥିରେ ୧୮ଟି ସ୍ୱର୍ଣ୍ଣ, ୨୩ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ପଦକ ସାମିଲ ରହିଥିଲା ।

ଏହା ମଧ୍ୟରେ ଭାରତ ଆଜିର ୫ମ ଦିନରେ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଡବଲ୍ସ ଏସଏଲ୩-ଏସଏଲ୪ ବ୍ୟାଡମିଣ୍ଟନରେ ଏହି ସଫଳତା ମିଳିଛି । ଭାରତୀୟ ଯୋଡ଼ି ନିତେଶ କୁମାର-ତରୁଣ ଇଣ୍ଡୋନେସିଆର ପ୍ରତିପକ୍ଷ ଦ୍ୱିୟୋକୋ-ଫ୍ରେଡିଙ୍କୁ ଫାଇନାଲରେ ୯-୨୧, ୨୧-୧୯, ୨୨-୨୦ ସେଟରେ ପରାସ୍ତ କରିଛନ୍ତି । ଆଜି ବ୍ୟାଡମିଣ୍ଟନରେ ଭାରତର ୪ର୍ଥ ସ୍ୱର୍ଣ୍ଣ ଜିତିବା ସହ ପଞ୍ଚମ ଦିନରେ ମୋଟ ୭ଟି ସ୍ୱର୍ଣ୍ଣ ଜିତିଛି । ଫଳରେ ବର୍ତ୍ତମାନ ଭାରତର ମୋଟ ସ୍ୱର୍ଣ୍ଣ ସଂଖ୍ୟା ୨୫ରେ ପହଞ୍ଚିଛି ।

ଏହା ପୂର୍ବରୁ ଆଜି ଭାରତ ପ୍ରଥମେ ପୁରୁଷ ଏଫ୬୪ ଡିସକସ୍ ଥ୍ରୋ’ରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ପୋଛି ନେଇଥିଲା । ଦେବେନ୍ଦର କୁମାର ସ୍ୱର୍ଣ୍ଣ, ପ୍ରଦୀପ କୁମାର ରୌପ୍ୟ ଓ ସୌରଭ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ଟି୩୮ ୧୫୦୦ ଇଭେଣ୍ଟରେ ରମଣ ଶର୍ମା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ଇଣ୍ଡିଭିଜୁଆଲ କମ୍ପାଉଣ୍ଡ ଆର୍ଚେରୀରେ ଶୀତଲ ଦେବୀ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରମୋଦ ଭଗତ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମହିଳା ସିଙ୍ଗଲ୍ସ ଏସୟୁ୫ ବ୍ୟାଡମିଣ୍ଟନରେ ଭାରତର ଥୁଲାସିମାଥି ସୁନ୍ଦରେସାନ ପ୍ରତିପକ୍ଷ ଚୀନର ୟାଙ୍ଗ କିୟୁଜିଆଙ୍କୁ ସିଧାସଳଖ ଭାବେ ୨୧-୧୯, ୨୧-୧୯ ସେଟରେ ପରାସ୍ତ କରି ୫ମ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପୁରୁଷ ସିଙ୍ଗଲ୍ସ ଏସଏଲ୪ ବ୍ୟାଡମିଣ୍ଟନରେ ସୁହାସ ୟାଥିରାଜ ୫ମ ଦିନର ୬ଷ୍ଠ ସ୍ୱର୍ଣ୍ଣ ଜିତିଥିଲେ ।

 

Get real time updates directly on you device, subscribe now.