fbpx

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଲା ଭାରତ: ଠିକଣା ସମୟରେ ଦମ୍ ଦେଖାଇଲେ ଶୁବମନ, ପୁଣି ଚମକିଲେ ଜୁରେଲ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜକୁ ଆଗୁଆ କବଜା କରିନେଇଛି ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟ ବାକି ଥିବାବେଳେ ଭାରତ ସିରିଜରେ ୩-୧ରେ ଆଗୁଆ ରହିଛି । ଚତୁର୍ଥ ଟେଷ୍ଟକୁ ଭାରତ ୫ ୱିକେଟରେ ଜିତି ନେଇଛି । ୧୯୨ ରନର ଟାର୍ଗେଟକୁ ପିଛା କରିବାକୁ ଯାଇ ଭାରତ ବଡ଼ ସଙ୍କଟରେ ପଡ଼ିଥିବା ବେଳେ ଅଧିନାୟକ ରୋହିତ ଶର୍ମା (୫୫), ଶୁବମନ ଗିଲ (୫୨) ଓ ଧ୍ରୁବ ଜୁରେଲ (୩୯)ଙ୍କ ଇନିଂସ ଦଳକୁ ବିଜୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମାତ୍ର ୨୦ ରନ୍ ବ୍ୟବଧାନରେ ୩ଟି ବଡ଼ ୱିକେଟ ପଡ଼ିବା ପରେ ଶୁବମନ ଶତାଧିକ ବଲ ଖେଳି ଗୋଟିଏ ପଟେ ତିଷ୍ଠି ରହି ତଳକୁ ସମ୍ଭାଳିଥିଲେ ।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନରେ ଅଲଆଉଟ୍ ହୋଇଯାଇଥିବା ବେଳେ ଭାରତ ୩୦୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଇଂଲଣ୍ଡ ପ୍ରଥମ ଇନିଂରେ ୪୬ ରନରେ ଅଗ୍ରଣୀ ରହିଥିଲା । ତେବେ ତୃତୀୟ ଦିନରେ ଇଂଲଣ୍ଡ ମାତ୍ର ୧୪୫ ରନରେ ଅଲଆଉଟ୍ ହେବା ଟିମ୍ ଇଣ୍ଡିଆ ପାଇଁ ନିର୍ଣ୍ଣାୟକ ମୋଡ଼ ହୋଇଥିଲା । ରବିଚନ୍ଦ୍ରନ ଅଶ୍ୱିନୀ ଓ କୁଲଦୀପ ଯାଦବ ଯଥାକ୍ରମେ ୫ଟି ଓ ୪ଟି ଲେଖାଏଁ ୱିକେଟ ନେଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସ୍ପିନ ଜାଲରେ ଫସାଇ ଦେଇଥିଲେ ।

୧୯୨ ରନର ଟାର୍ଗେଟକୁ ପିଛା କରି ଭାରତ ତୃତୀୟ ଦିନରେ ବିନା ୱିକେଟରେ ୪୦ ରନ୍ ସଂଗ୍ରହ କରିଥିଲା । ଚତୁର୍ଥ ଦିନରେ ଭାରତ ୧୨୦ ରନରେ ୫ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ ହରାଇଥିଲେ ହେଁ ବ୍ୟାଟ୍ସମ୍ୟାନମାନେ ସଂଘର୍ଷ କରି ଦଳକୁ ଜିତାଇଥିଲେ । ବିଶେଷ କରି ଶୁବମନ ଗିଲ ଠିକଣା ସମୟରେ ଦଳକୁ ସମ୍ଭାଳିଥିଲେ । ସେହିପରି ପ୍ରଥମ ଇନିଂସରେ ୯୦ ରନ କରି ଦଳକୁ ବଡ଼ ସଙ୍କଟରୁ ଉଦ୍ଧାର କରିଥିବା ୱିକେଟ କିପର ଧ୍ରୁବ ଜୁରେଲ ପୁଣି ଥରେ ଚମକିଥିଲେ ।

Get real time updates directly on you device, subscribe now.