fbpx

ଝିଅମାନଙ୍କୁ ସେନାରେ ସାମିଲ ହେବାର ସୁବର୍ଣ୍ଣ ସୁଯୋଗ: ୧୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଅଗ୍ନିବୀର ରାଲି

ନୂଆଦିଲ୍ଲୀ: ଭାରତୀୟ ସେନାରେ ସାମିଲ ହେବାକୁ ଇଚ୍ଛା ରଖିଥିବା ଝିଅମାନଙ୍କ ପାଇଁ ଆସିଛି ବଡ଼ ସୁଯୋଗ । ମହାରାଷ୍ଟ୍ର, ଗୋଆ ସମେତ ଚାରିଟି ରାଜ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ ଝିଅମାନଙ୍କ ପାଇଁ ଅଗ୍ନିବୀର ନିଯୁକ୍ତି ରାଲିର ଆୟୋଜନ କରାଯାଉଛି ।

ଅଗ୍ନିବୀରର ଜେନେରାଲ ଡ୍ୟୁଟି (ମହିଳା ମିଲିଟାରୀ ପୋଲିସ୍) ପାଇଁ ନିଯୁକ୍ତି ରାଲି ୬ ଡିସେମ୍ବରରୁ ଆରମ୍ଭ ହୋଇଛି, ଯାହାକି ୧୧ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସୋମବାର ଦିନ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, କିର୍କିର ବିଇଜି କେନ୍ଦ୍ରରେ ଅଗ୍ନିବୀର ଜେନେରାଲ ଡ୍ୟୁଟି (ମହିଳା ମିଲିଟାରୀ ପୋଲିସ୍) ର ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏକ ପ୍ରତିରକ୍ଷା ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ରାଲିର ମୂଳ ଉଦ୍ଦେଶ୍ୟ ହେଉଛି ମହାରାଷ୍ଟ୍ର, ଗୁଜୁରାଟ, ଗୋଆ ଏବଂ ଡାମନ ମହିଳାମାନଙ୍କୁ ଭାରତୀୟ ସେନାରେ ଯୋଗଦେବାର ସୁଯୋଗ ଦେବା, ଯାହାଫଳରେ ସେମାନଙ୍କୁ ଦେଶ ସେବା କରିବାର ସୁଯୋଗ ମିଳିବ ।

ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଯାଞ୍ଚ କରାଯିବ । ପ୍ରାର୍ଥୀଙ୍କୁ ଶାରୀରିକ, ଡାକ୍ତରୀ ପରୀକ୍ଷା ଏବଂ ସାଧାରଣ ପ୍ରବେଶିକା ପରୀକ୍ଷା ଦେଇ ଯିବାକୁ ପଡିବ । ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ପ୍ରାର୍ଥୀମାନେ ଶାରୀରିକ ଏବଂ ମେଡିକାଲରେ ଫିଟ୍ ଅଛନ୍ତି, ସେମାନେ ଲିଖିତ ପରୀକ୍ଷା ଦେଇପାରିବେ । ମହିଳା ପ୍ରାର୍ଥୀମାନଙ୍କର ଅନ୍ତିମ ଚୟନ ଯୋଗ୍ୟତା ଆଧାରରେ ହେବ ଏବଂ ଏହା ପରେ ସେମାନଙ୍କୁ ମିଲିଟାରୀ ପୋଲିସ୍ କର୍ପସରେ ଭାରତୀୟ ସେନାରେ ଯୋଗଦେବାକୁ ଡକାଯିବ ।

Get real time updates directly on you device, subscribe now.