ନୂଆଦିଲ୍ଲୀ: ଅଚାନକ ମ୍ୟାଚ ମଝିରେ ଗ୍ରାଉଣ୍ଡ ଷ୍ଟାଫଙ୍କ କାମ ଆରମ୍ଭ କରିଦେଲେ ଟିମ ଇଣ୍ଡିଆର ଷ୍ଟାର ବୋଲର ମୁକେଶ କୁମାର । ମ୍ୟାଚ ମଝିରେ ପିଚକୁ ହାତୁଡ଼ିରେ ପିଟୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ତେବେ ମୁକେଶଙ୍କ ଏପରି କରିବାର କାରଣ ଜାଣିବା ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ମୁକେଶ ପିଚକୁ ହାତୁଡ଼ିରେ ପିଟିବା ବେଳେ ମ୍ୟାଚ୍ ମଧ୍ୟ କିଛି ସମୟ ପାଇଁ ରୋକାଯାଇଥିଲା । ଅଚାନକ ପିଚକୁ ହାତୁଡ଼ିରେ ପିଟିବାର କାରଣ କ’ଣ ବୋଲି ଏବେ ପ୍ରଶ୍ନ ଉଠିଛି । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଭାରତ ଏ-ଅଷ୍ଟ୍ରେଲିଆ ଏ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ଅଚାନକ କିଛି ସମୟ ପାଇଁ ରୋକାଯାଇଛି । ପିଚରେ ସାମାନ୍ୟ ସମସ୍ୟା ଦେଖାଦେବାରୁ ଏହାକୁ ରୋକିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ତେବେ ପିଚ୍ ଠିକ କରିବା ପାଇଁ ଗ୍ରାଉଣ୍ଡସ ମ୍ୟାନ୍ ଆସିଥିଲେ । ସମସ୍ତ ଖେଳାଳି ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ ଅଚାନକ ଟିମ ଇଣ୍ଡିଆର ଷ୍ଟାର ବୋଲର ମୁକେଶ କୁମାର ଗ୍ରାଉଣ୍ଡ ଷ୍ଟାଫଙ୍କ ହାତରୁ ହାତୁଡ଼ି ଛଡ଼ାଇ ନେଇ ନିଜେ ପିଚକୁ ପିଟିବା ଆରମ୍ଭ କରି ଦେଇଥିଲେ । ପିଚ୍ ସାମାନ୍ୟ ଖାଲ-ଢିପ ହୋଇଥିବା ସ୍ଥାନକୁ ସଜାଡ଼ିବାରେ ଲାଗି ପଡ଼ିଥିଲେ ମୁକେଶ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଦେଖାଯାଉଛି କିଛି ସମୟରେ ପିଚକୁ ହାତୁଡ଼ିରେ ପିଟିବା ପରେ ଏହାକୁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ପୁଣିଥରେ ଫେରାଇ ଦେଉଛନ୍ତି ମୁକେଶ ।
Mukesh Kumar repairing the pitch. 😄pic.twitter.com/I5M8SI07cd
— Mufaddal Vohra (@mufaddal_vohra) November 2, 2024
ଏହାପରେ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ୱିକେଟ କିପର ଇଶାନ୍ କିଶାନ୍ ମୁକେଶ କୁମାରଙ୍କୁ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ଏହି ମ୍ୟାଚରେ ମୁକେଶ କୁମାର ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଇନିଂସରେ ୧୮.୪ ଓଭର ବୋଲିଂ କରି ମୁକେଶ ୪୬ ରନ୍ ବ୍ୟୟ କରିଥିବା ବେଳେ ୬ ୱିକେଟ ହାସଲ କରିଥିଲେ । ଏହାପରେ ଦ୍ୱିତୀୟ ଇନିଂସରେ ସେ ଗୋଟିଏ ସଫଳତା ପାଇଛନ୍ତି ।