fbpx

ସ୍କଟଲାଣ୍ଡ ବିପକ୍ଷ ମୁକାବିଲାରେ ଭାରତକୁ ଦରକାର ବିଶାଳ ବିଜୟ, ମଇଦାନକୁ ଓହ୍ଲାଇବେ ଏହି ପ୍ଲେଇଙ୍ଗ୍ ଇଲେଭେନ !

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ୬୬ ରନରେ ହରାଇ ଭାରତ ଟି-୨୦ ବିଶ୍ୱ କପରେ ନିଜର ପ୍ରଥମ ବିଜୟ ହାସଲ କରିଛି । ଆଫଗାନିସ୍ତାନ ବିପକ୍ଷରେ ବଡ ବିଜୟ ସତ୍ତେ୍ୱ ଭାରତର ସେମି ଫାଇନାଲ ରାସ୍ତା ସହଜ ନୁହେଁ । ଦଳକୁ ନିଜର ପରବର୍ତ୍ତୀ ଦୁଇଟି ମୁକାବିଲା କେବଳ ଜିତିଲେ ଚଳିବ ନାହିଁ ବରଂ ବଡ ବ୍ୟବଧାନରେ ବିପକ୍ଷ ଦଳକୁ ହରାଇବାକୁ ପଡିବ । ଏଥିସହ ଦଳ ଏହା କାମନା କରିବ ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନର ବିଜୟ ହେଉ ।

ଭାରତ ଆଜି ସୁପର ୧୨ ରାଉଣ୍ଡର ନିଜର ଚତୁର୍ଥ ମ୍ୟାଚ୍ ସ୍କଟଲାଣ୍ଡ ବିପକ୍ଷରେ ଖେଳିବ । ସେମି ଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଭାରତକୁ ପ୍ରତିପକ୍ଷ ଦଳକୁ ବଡ ବ୍ୟବଧାନରେ ହରାଇବାକୁ ପଡିବ । ଦଳ ଆଜି ନିଜର ପୂରା ଶକ୍ତି ଏବଂ ସାମର୍ଥ୍ୟ ସହ ମଇଦାନକୁ ଓହ୍ଲାଇବ ଏବଂ ନିଜର ଗତ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିବାରେ ଚେଷ୍ଟା କରିବ ।

ଭାରତୀୟ ଦଳ ବର୍ତ୍ତମାନ ଗୋଟିଏ ମ୍ୟାଚ୍ ଜିତି ୦.୦୭୩ ରନ ରେଟ୍ ସହ ଗ୍ରୁପ ୨ର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ରୋହିତ ଶର୍ମା ଓ କେଏଲ ରାହୁଲ ଯୋଡି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଲୟରେ ନଜର ଆସିଥିଲେ । ଏହି ଫର୍ମକୁ ଆଜିର ମ୍ୟାଚରେ ମଧ୍ୟ ଦୋହରାଇବାକୁ ପଡିବ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଓପନିଂ ଯୋଡି ୧୪୦ ରନର ଭାଗିଦାରୀ କରିଥିଲେ ।

ଅଶ୍ୱିନଙ୍କ ପ୍ରତ୍ୟାବର୍ତ୍ତନରେ ବୋଲିଂ ହେଲା ମଜବୁତ

ଆରମ୍ଭ ଦୁଇଟି ମ୍ୟାଚରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଥିଲା, ହେଲେ ସେ ଏହାର ଫାଇଦା ଉଠାଇ ପାରିନଥିଲେ । ତାଙ୍କ ସହ ଅନ୍ୟ ବୋଲର ମଧ୍ୟ ନିରାଶ କରିଥିଲେ । କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିଲା ଏବଂ ସେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି କମାଲ ବୋଲିଂ କରିଥିଲେ । ଚାରି ବର୍ଷ ପରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିବା ଅଶ୍ୱିନ ଚାରି ଓଭରରେ ୧୪ ରନ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଅଶ୍ୱିନଙ୍କ ପ୍ରତ୍ୟାବର୍ତ୍ତନରେ ଦଳର ବୋଲିଂ ମଜବୁତ ହୋଇଛି ।

ଫର୍ମକୁ ଫେରିଲେ ପନ୍ତ-ପାଣ୍ଡ୍ୟା

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି । ଦୁଇ ବ୍ୟାଟସମ୍ୟାନଙ୍କୁ ଉପର କ୍ରମରେ ବ୍ୟାଟିଂ ପାଇଁ ପଠାଯାଇଥିଲା । ଆଉ ଦୁଇ ବ୍ୟାଟସମ୍ୟାନ ଧୂଆଁଧାର ବ୍ୟାଟିଂ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ । ପନ୍ତ ଓ ପାଣ୍ଡ୍ୟା ୨୨ ବଲରୁ ୬୩ ରନର ଅପରାଜିତ ଭାଗିଦାରୀ କରିଥିଲେ । ଭାରତୀୟ ଦଳ ଏହି ଦୁଇ ଜଣଙ୍କଠୁ ଠିକ୍ ଏହି ପରି ପ୍ରଦର୍ଶନ ଆଶା କରିବ ।

ସ୍କଟଲାଣ୍ଡ ଦଳ ସୁପର ୧୨ ରାଉଣ୍ଡରେ କିଛି ଖାସ୍ ପ୍ରଦର୍ଶନ କରି ପାରି ନାହିଁ । ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଦଳ କିଛି ସମୟ କିୱି ଦଳକୁ କଡା ଟକ୍କର ଦେଇଥିଲେ ଏବଂ ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇଥିଲେ । ହେଲେ ଦଳ ବିଜୟଠୁ ୧୬ ରନ ପଛରେ ରହି ଯାଇଥିଲା । ତେଣୁ ଭାରତୀୟ ଦଳ ସ୍କଟଲାଣ୍ଡକୁ କଦାପି ହାଲୁକା ନେବ ନାହିଁ ।

ସମ୍ଭାବିତ ଏକାଦଶ

ଭାରତ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ରବିଚନ୍ଦ୍ରନ ଅଶ୍ୱିନ, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା ।

Get real time updates directly on you device, subscribe now.