fbpx

ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଲାଗିବ ପ୍ରଧାନମନ୍ତ୍ରୀଙ୍କ ଫଟୋ: ୟୁଜିସିଙ୍କ ଚିଠି

AAKASH

ନୂଆଦିଲ୍ଲୀ: ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଲାଗିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ନିର୍ଦ୍ଦେଶ ରହିଛି । ଏନେଇ ଏକ ଚିଠି ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠି ଶୁକ୍ରବାର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ମହାବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟକୁ ପଠାଯାଇଛି। ତେବେ ଏ ସମ୍ପର୍କରେ ୟୁଜିସି ସଚିବ ମନୀଷ ଯୋଶୀଙ୍କ ଦ୍ୱାରା ପ୍ରକାଶିତ ଏକ ଚିଠିରେ କୁହାଯାଇଛି ଏହି ସେଲଫି ପଏଣ୍ଟଗୁଡ଼ିକ ଯୁବବର୍ଗମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ବିଷୟରେ ସଚେତନତା ସୃଷ୍ଟି କରିବ। ଏହା ସେମାନଙ୍କ ପାଇଁ ସାମୂହିକ ଗର୍ବର ଭାବନା ବିକାଶ କରିବ।

ଆମ ଦେଶରେ ଯେଉଁ ଅଦ୍ଭୁତପୂର୍ବ ଅଗ୍ରଗତି ହୋଇଛି ତାହା ପାଳନ ଏବଂ ପ୍ରୋତ୍ସାହିତ କରିବା ପାଇଁ ଆପଣଙ୍କ ଅନୁଷ୍ଠାନରେ ଏକ ସେଲଫି ପଏଣ୍ଟ ସ୍ଥାପନ କରନ୍ତୁ ବୋଲି ଚିଠିରେ କୁହାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯୁବବର୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା, ବିଶେଷକରି ନୂତନ ଶିକ୍ଷା ନୀତି ୨୦୨୦ ଅଧୀନରେ ନିଆଯାଇଥିବା ନୂତନ ପଦକ୍ଷେପ ବିଷୟରେ ଅବଗତ କରାଇବା । ସେହିପରି ଚିଠିରେ ଦର୍ଶାଯାଇଛି, ଏହି ପଏଣ୍ଟରେ ଫଟୋ ଉଠାଇବା ଏବଂ ସୋସିଆଲ ମିଡିଆରେ ଶେୟାର କରିବାକୁ ଉତ୍ସାହିତ କରିବାକୁ ଆପଣଙ୍କୁ ଅନୁରୋଧ କରାଯାଉଛି।

ସୂଚନା ଥାଉକି, ଆସନ୍ତା ବର୍ଷ ଦେଶରେ ନିର୍ବାଚନ ରହିଛି ହେଲେ ଏହା ପୂର୍ବରୁ ୟୁଜିସି ପକ୍ଷରୁ ଏଭଳି ଏକ ଚିଠି ପଠାଯାଇଛି। ଯାହାକୁ ନେଇ ବିରୋଧୀ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ସେହିପରି ଅନେକ ଶିକ୍ଷାବିତ ୟୁଜିସିର ଏହି ଚିଠିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସାର୍ବଜନୀନ ଅନୁଷ୍ଠାନଗୁଡିକ ଏପରି କାର୍ୟ୍ୟ ପାଇଁ ବ୍ୟବହୃତ ହେବା ଉଚିତ ନୁହେଁ କୁହାଯାଉଛି।

 

Get real time updates directly on you device, subscribe now.