fbpx

UGC କରିବ ବଡ଼ ଘୋଷଣା: ଏଣିକି ବିଦେଶରେ ଖୋଲିବ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ

ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ସେହି କ୍ରମରେ ଖୁବଶୀଘ୍ର ୟୁଜିସି ଏକ ବଡ଼ ଘୋଷଣା କରିବାକୁ ଯାଉଛି । ଏଣିକି ଭାରତୀୟ ୟୁନିଭରସିଟିର କ୍ୟାମ୍ପସ ବିଦେଶରେ ଖୋଲିବ । ଏ ସମ୍ବନ୍ଧରେ ୟୁଜିସି ସମସ୍ତ ପ୍ରକ୍ରିୟା ଶେଷ କରିସାରିଛି ।

ବିଦେଶରେ ଭାରତୀୟ ୟୁନିଭରସିଟିର କ୍ୟାମ୍ପସ ଖୋଲିବା ନେଇ ଆସନ୍ତା ଏକ ମାସ ମଧ୍ୟରେ ୟୁଜିସି ଘୋଷଣା କରିପାରେ । ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାରଙ୍କ ମୁତାବକ, ବିଶ୍ୱର କିଛି ରାଷ୍ଟ୍ର ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଭିତ୍ତିଭୂମି ଯୋଗାଇବାକୁ ଆଗଭର ହୋଇଛନ୍ତି । ଏହା ମାଧ୍ୟମରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଦେଶରେ ସେମାନଙ୍କର କ୍ୟାମ୍ପସ ଖୋଲି ପାରିବେ । ଆଫ୍ରିକୀୟ ଓ ଗଲଫ ଦେଶ, ଥାଇଲାଣ୍ଡ, ଭିଏତନାମ ପରି କିଛି ରାଷ୍ଟ୍ରରେ ଏହି କ୍ୟାମ୍ପସ ଖୋଲିପାରେ ।

ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ଅନ୍ତରାଷ୍ଟ୍ରୀୟକରଣ ଯୋଜନାରେ ତିନୋଟି ମୁଖ୍ୟ ସଂସ୍କାରକୁ ସାମିଲ କରାଯାଇଛି । ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଭାରତରେ ଖୋଲିବା, ଭାରତୀୟ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବିଦେଶରେ ଖୋଲିବା, ଦ୍ୱୈତ ଡିଗ୍ରୀ ଓ ବିଦେଶୀ ବିଶ୍ୱବିଦ୍ୟାଳୟର ସହଯୋଗରେ ଭାରତୀୟ ବିଶ୍ୱବିଦ୍ୟାଳୟରେ ସଂଯୁକ୍ତ ଡିଗ୍ରୀ କୋର୍ସକୁ ସାମିଲ କରାଯାଇଛି । ଦେଶରେ ସରକାରୀ ଓ ଘରୋଇ ଦୁଇ କ୍ଷେତ୍ରର ଅନେକ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ଏହି ପ୍ରତିଷ୍ଠାନଗୁଡ଼ିକୁ ବିଦେଶରେ କ୍ୟାମ୍ପସ ଖୋଲିବାକୁ ପ୍ରୋତ୍ସାହିତ କରାଯିବ । ତେବେ ଯେଉଁ ଦେଶରେ ଅଧିକ ପ୍ରବାସୀ ଭାରତୀୟ ରହିଛନ୍ତି, ସେହି ଦେଶ ଭାରତୀୟ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଖୋଲିବ ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

ଆଫ୍ରିକୀୟ ଦେଶରେ ଭାରତୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଖୋଲିବାର ଅଧିକ ସମ୍ଭାବନା ରହିଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ସଂଯୁକ୍ତ ଅରବ ଅମୀରାତରେ ନିଜର କ୍ୟାମ୍ପସ ଖୋଲିବା ନେଇ ବିଚାର କରୁଛି । ଏହାଛଡ଼ା ଆଇଆଇଟି ମାଡ୍ରାସର କ୍ୟାମ୍ପସ ଶ୍ରୀଲଙ୍କା, ନେପାଳ, ବ୍ରିଟେନ, ମାଲେଶିଆ, ଥାଇଲାଣ୍ଡ ଓ ତାଞ୍ଜାନିଆରେ ଖୋଲିପାରେ ।

Get real time updates directly on you device, subscribe now.