କରୋନାର ଚତୁର୍ଥ ଲହର ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ନାହିଁ: ନୋମୁରା

ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଳ ଦେଇଛି । ଏଭଳି ସମୟରେ ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ଶୁକ୍ରବାର କହିଛି ଯେ ଏହା ଭାରତର ଆର୍ଥିକ ଅଭିବୃଦ୍ଧିରେ କୌଣସି ପ୍ରଭାବ ପକାଇବ ନାହିଁ ।

ତେବେ ଏହା ପ୍ରଭାବରେ ଅଳ୍ପରୁ ମଧ୍ୟମ ଧରଣର ପ୍ରଭାବ ରହିପାରେ ବୋଲି କମ୍ପାନୀ କହିଛି । ଏହି ସମୟରେ ଉଚ୍ଚ ମୁଦ୍ରାସ୍ପୀତି, ଘରୋଇ ନିବେଶରେ ହ୍ରାସ ଏବଂ ବିଶ୍ୱ ବଜାରରେ ଦୁର୍ବଳତା ଦେଖାଦେଇପାରେ ବୋଲି ନୋମୁରା ଏକ ରିପୋର୍ଟରେ କହିଛି । ତେବେ ଏକ୍ସପର୍ଟଙ୍କ କହିବା ମୁତାବକ ସରକାରଙ୍କ ସହଜ ମୁଦ୍ରା ନୀତି ଏବଂ ସରକାରୀ ନିବେଶ ହେତୁ ଅଭିବୃଦ୍ଧି ଜାରି ରହିବା ଉଚିତ୍ । ନୋମୁରା ନିକଟରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଭାରତର ଅଭିବୃଦ୍ଧିକୁ ୭.୪ ପ୍ରତିଶତକୁ ହ୍ରାସ କରିଛି, ଯାହା ୨୦୨୧-୨୨ରେ ୮.୪ ପ୍ରତିଶତ ଥିଲା ।

ଭାରତରେ ଗତ ଏକ ସପ୍ତାହ ହେବ କରୋନା ମାମଲାରେ ସାମାନ୍ୟ ବୃଦ୍ଧି ପାଇ ଦୈନିକ ତିନି ହଜାର ନିକଟବର୍ତ୍ତୀ ହୋଇଛି । ଯାହା ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ପ୍ରାୟ ଏକ ହଜାର ଥିଲା । ନୋମୁରା କହିଛି ଯେ, ବର୍ତ୍ତମାନର ସ୍ଥିତିକୁ ନେଇ କୌଣସି ଆକଳନ କରିବା ଚଞ୍ଚକତା ହୋଇପାରେ ।

କାରଣ ଏବେ କରୋନା ସହିତ ଅର୍ଥନୀତି ଆଗକୁ ବଢ଼ିବାକୁ ସମୟ ସହିତ ଶିଖି ଯାଇଛି । ଏଥି ସହିତ ଏବେ ନୂଆ ନୁଆ ଭାରିଆଣ୍ଟ କାରଣରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଉଥିଲେ ମଧ୍ୟ ଏହା ପୁର୍ବ ଭାରିଆଣ୍ଟ ପରି ମାରାତ୍ମକ ନୁହେଁ । ଏହା ଛଡ଼ା ପୁର୍ବଭଳି କଠୋର କଟକଣା ମଧ୍ୟ କେଉଁଠି ନାହିଁ ।

ତେଣୁ ଏବେଠୁ ଭବିଷ୍ୟତରେ ଆସିବାକୁ ଥିବା ଲହର ବିଷୟରେ ଆକଳନ କରିବା ସାମ୍ପ୍ରତିକ ଆର୍ଥିକ ସ୍ଥିତି ପାଇଁ ବିପଦ ବୋଲି ନୋମୁରା କହିଛି । ଏଥି ସହିତ ନୋମୁରା ଏହାର କାର୍ଯ୍ୟକଳାପ ସୂଚକାଙ୍କରେ ଦେଶରେ ତୃତୀୟ ଲହର ପରେ ମାର୍ଚ୍ଚା ମାସରେ କାର୍ଯ୍ୟକଳାପରେ ବ୍ୟାପକ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ସମସ୍ତ ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ପ୍ରାକ କରୋନା ମହାମାରୀ ସ୍ତରକୁ ଅତିକ୍ରମ କରିଛନ୍ତି ।

ଏପରିକି କରୋନା ପୁର୍ବରୁ ବିଭିନ୍ନ କ୍ଷେତ୍ରରେ ଥିବା ଚାହିଦାରେ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଦେଶରେ ଏବେ ସମୁଦାୟ ଚାହିଦା ବୃଦ୍ଧି ପାଇ ୧୫ ପ୍ରତିଶତରେ ପହଁଞ୍ଚିଥିବା ବେଳେ ଯୋଗାଣ ଚାହିଦା ମଧ୍ୟ ବୃଦ୍ଧି ପାଇ ୯ ପ୍ରତିଶତରେ ପହଁଞ୍ଚିଛି । ଏଥି ସହିତ ଦେଶରେ ନିବେଶ ଏବଂ ଲୋକଙ୍କ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଛି । ତେବେ କରୋନା ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଚାକିରି କ୍ଷେତ୍ରରେ କୌଣସି ଅଭିବୃଦ୍ଧି ହୋଇନାହିଁ । ଏବେ ମଧ୍ୟ ସର୍ବାଧିକ ୧୦ ପ୍ରତିଶତ ତଳେ ରହିଛି ।

Get real time updates directly on you device, subscribe now.