fbpx

ହ୍ରାସ ପାଉଛି ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର: ଦୁଇ ସପ୍ତାହରେ ୧୦ ବିଲିୟନ୍ ଡଲାର ହ୍ରାସ

AAKASH

ନୂଆଦିଲ୍ଲୀ: ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏକ ବଡ଼ ହ୍ରାସ ଘଟିଛି । ଫେବୃଆରୀ ୧୦, ୨୦୨୩ ସପ୍ତାହ ଶେଷରେ ବୈଦେଶିକ ମୁଦ୍ରା ଭଣ୍ଡାର ୮.୩୧ ବିଲିୟନ ଡ଼ଲାରରେ ହ୍ରାସ ପାଇଛି, ଯାହାକି ୧୧ ମାସ ମଧ୍ୟରେ ଯେକୌଣସି ସପ୍ତାହରେ ସବୁଠାରୁ ବଡ ହ୍ରାସ ଥିବା କୁହାଯାଉଛି। ବ୍ୟାଙ୍କିଙ୍ଗ କ୍ଷେତ୍ରର ନିୟାମକ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା ଭଣ୍ଡାର ସମ୍ବନ୍ଧରେ ଏହି ତଥ୍ୟ ପ୍ରକାଶ କରିଛି ।

ଏହି ଆକଳନ ଅନୁଯାୟୀ, ଫେବୃଆରୀ ୧୦, ୨୦୨୩ ସପ୍ତାହ ଶେଷରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୫୬୬.୯୪ ବିଲିୟନ ଡ଼ଲାରରେ ପହଁଚିଛି ଯାହା ଫେବୃଆରୀ ୩, ୨୦୨୩ ସପ୍ତାହ ଶେଷରେ ୫୭୫.୨୭ ବିଲିୟନ ଡ଼ଲାର ମହଜୁଦ୍ ଥିଲା। ସେହି ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୧.୪୯ ବିଲିୟନ ଡ଼ଲାର ହ୍ରାସ ଘଟିଥିଲା। ଏହାର ଅର୍ଥ ହେଉଛି ମାତ୍ର ଦୁଇ ସପ୍ତାହ ମଧ୍ୟରେ ବୈଦେଶିକ ମୁଦ୍ରା ଭଣ୍ଡାର ୧୦ ବିଲିୟନ ଡ଼ଲାର ହ୍ରାସ ପାଇଛି । ଉକ୍ତ ଅବଧି ମଧ୍ୟରେ ସୁନା ଭଣ୍ଡାରରେ ୯୧୯ ମିଲିୟନ ଡ଼ଲାର ହ୍ରାସ ପାଇଛି । ସୁନା ଭଣ୍ଡାର ୪୨.୮୬ ବିଲିୟନ ଡଲାରକୁ ଖସି ଆସିଥିବାବେଳେ ଏସ୍‌ଡିଆର ୧୯୦ ମିଲିୟନ ଡ଼ଲାର ହ୍ରାସ ପାଇଛି ଓ ଏବେ ୧୮.୩୫ ବିଲିୟନ ଡଲାରରେ ପହଁଚିଛି।

ଅକ୍ଟୋବର ୨୦୨୧ରେ, ବୈଦେଶିକ ମୁଦ୍ରା ଭଣ୍ଡାର ଏକ ଐତିହାସିକ ସ୍ତରରେ ୬୪୫ ବିଲିୟନ ଡ଼ଲାରରେ ପହଞ୍ଚିଥିଲା । ସେବେଠାରୁ ବିଦେଶୀ ନିବେଶକଙ୍କ ବିକ୍ରୟ ହେତୁ ବୈଦେଶିକ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟିଛି । ତେଣୁ ଡଲାର ତୁଳନାରେ ଟଙ୍କା ହ୍ରାସକୁ ରୋକିବା ପାଇଁ ଆରବିଆଇ ଡଲାର ବିକ୍ରି କରିଛି । ଏକ ସମୟରେ ଟଙ୍କା ଗୋଟିଏ ଡଲାର ତୁଳନାରେ ୮୩ ଟଙ୍କା ସ୍ତରରୁ ଖସି ଆସିଥିଲା । ବୈଶ୍ୱିକ କାରଣରୁ ବିଶେଷକରି ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡିଛି । ଫେଡେରାଲ ରିଜର୍ଭର ସୁଧ ହାରରେ କ୍ରମାଗତ ବୃଦ୍ଧି ହେତୁ ନିବେଶକମାନେ ସେମାନଙ୍କର ନିବେଶ ପ୍ରତ୍ୟାହାର କରୁଛନ୍ତି, ଯେଉଁଥିରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି କାରଣରୁ ରିଜର୍ଭ ହ୍ରାସ ପାଇଚାଲିଛି ।

Get real time updates directly on you device, subscribe now.