fbpx

ଭାରତର ଆଶା ଧୂଳିସାତ: ଆଫଗାନିସ୍ତାନକୁ ହରାଇ ସେମିରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନଙ୍କୁ ଝଟକା । ଭାରତୀୟ ଦଳର ଟି-୨୦ ବିଶ୍ୱକପ୍ ସେମିଫାଇନାଲ ଆଶା ଆଶାରେ ରହିଯାଇଛି । ନ୍ୟୁଜିଲାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିବା ସହିତ ଚତୁର୍ଥ ଦଳ ଭାବରେ ସେମିରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର ୧୨୪ ରନ୍ କରିଥିବା ବେଳେ ୨ ୱିକେଟ ହରାଇ ୧୧ ବଲ ପୂର୍ବରୁ ବିଜୟ ହାସଲ କରି ନେଇଥିଲା ନ୍ୟୁଜିଲାଣ୍ଡ । ଅଧିନାୟକ କେନ ୱିଲିୟମସନ୍ ସର୍ବାଧିକ ୪୦ ରନ କରିଥିବା ବେଳେ ଡେଭନ କନୱେ ୩୬ ରନରେ ଅପରାଜିତ ରହିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ମାତ୍ର ୧୨୪ ରନ କରିଥିଲା । ନଜିବଉଲ୍ଲା ଜାଦ୍ରାନ ୭୩ ରନର ଚମକ୍ରାର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ନ ମିଳିବାରୁ ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୨୪ ରନ କରିଥିଲା । ଆଫଗାନିସ୍ତାନର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଜାଦ୍ରାନ ୪୮ ବଲ ଖେଳି ୬ ଚୌକା ଓ ୩ ଛକା ମାରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ମାତ୍ର ୧୭ ରନରେ ୩ଟି ୱିକେଟ ନେଇ ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଉଦି ୨ଟି ୱିକେଟ ନେଇଥିବା ବେଳେ ଆଡାମ ମିଲନେ, ଜିମି ନିଶାମ ଓ ଇଶ ସୋଧୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୨୫ ରନ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ଧୈର୍ଯ୍ୟର ସହିତ ଇନିଂସ ଆରମ୍ଭ କରିଥିଲା । ଦୁଇ ଓପନର ମାର୍ଟିନ ଗପ୍ଟିଲ(୨୮) ଓ ଡାରିଲ ମିଚେଲ(୧୭)ଙ୍କ ୱିକେଟ ପତନ ପରେ ୱିଲିୟମସନ ଦଳକୁ ବିଜୟୀ କରାଇଥିଲେ । ୱିଲିୟମସନ୍ ୪୨ ବଲରୁ ୩ ଚୌକା ସହିତ ୪୦ ରନ କରି ଅପରାଜିତ ରହିଥିବା ବେଳେ ଡେଭନ କନୱେ ୩୨ ବଲ ଖେଳି ୩୬ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର ରେହମାନ ଏବଂ ରଶିଦ ଖାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅଗ୍ନିବର୍ଷୀ ବୋଲିଂ ପାଇଁ ବୋଲ୍ଟଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.