fbpx

ବିଜୟ ପରେ ବି ବଦଳିିବ ଭାରତର PLaying-11: ଏହି ଦୁଇ ଖେଳାଳିଙ୍କୁ ଦଳରୁ ବାହାର କରିବେ ରୋହିତ!

ନୂଆଦିଲ୍ଲୀ: ରାଜକୋଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୪୩୪ ରନର ବୃହତ୍ ବିଜୟ ସହ ସିରିଜରେ ୨-୧ରେ ଆଗୁଆ ରହିଛି ରୋହିତ ସେନା । ଏହାପରେ ଚତୁର୍ଥ ଟେଷ୍ଟ ପାଇଁ ରାଞ୍ଚି ମଇଦାନରେ ଉଭୟ ଦଳ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚରେ ମଧ୍ୟ ରୋହିତ କିଛିଟା ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ମ୍ୟାଚରେ ଉପ-ଅଧିନାୟକ ଜଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି । ତେଣୁ ସେ ପ୍ରଥମ ପରିବର୍ତ୍ତନ ହୋଇଥିବା ବେଳେ ଏହାବ୍ୟତୀତ ଆଉ କିଛି ପରିବର୍ତ୍ତନ ମଧ୍ୟ ହୋଇପାରେ ।

ଆସନ୍ତା ୨୩ ତାରିଖରେ ଖେଳାଯିବାକୁ ଥିବା ଏହି ଚତୁର୍ଥ ଟେଷ୍ଟ ପୂର୍ବରୁ ଷ୍ଟାର ବ୍ୟାଟର କେ.ଏଲ ରାହୁଲ ସୁସ୍ଥ ହୋଇ ଦଳକୁ ପେରି ପାରନ୍ତି । ସେ ସୁସ୍ଥ ହେଲେଦଳରେ ତାଙ୍କୁ ସୁଯୋଗ ମିଳିବା ସୁନିଶ୍ଚିତ । ତେଣୁ ରାଜକୋଟ ଟେଷ୍ଟରେ ସ୍ଥାନ ପାଇଥିବା ବ୍ୟାଟରଙ୍କ ମଧ୍ୟରୁ ଜଣକୁ ବାଦ୍ ଦେବାକୁ ବାଧ୍ୟ ହେବେ ଅଧିନାୟକ ରୋହିତ । ସରଫରାଜ ଖାନ୍ ଉଭୟ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ବେଳେ ରଜତ ପାଟିଦାର ବିଫଳ ହୋଇଛନ୍ତି । ତେଣୁ ତାଙ୍କୁ ଏହି ମ୍ୟାଚ ହାତଛଡ଼ା କରିବାକୁ ପଡ଼ିପାରେ । ତାଙ୍କ ସ୍ଥାନରେ କେ.ଏଲ ରାହୁଲ ଦଳରେ ସାମିଲ ହୋଇ ପାରନ୍ତି ।

ରଜତ ପାଟିଦାରଙ୍କୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟରେ ସୁଯୋଗ ମିଳିଥିଲେ ମଧ୍ୟ ସେ ଏହି ସୁଯୋଗକୁ ହାତଛଡ଼ା କରିଛନ୍ତି । ଉଭୟ ଟେଷ୍ଟ ମ୍ୟାଚରେ ସେ ମୋଟ ୪୬ ରନ୍ ହିଁ କରିପାରିଛନ୍ତି । ରାଜକୋଟ ଟେଷ୍ଟର ଉଭୟ ଇନିଂସରେ ଖରାପ ଶଟ୍ ଖେଳି ସେ ନିଜ ୱିକେଟ ହରାଇଛନ୍ତି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ତାଙ୍କୁ ଦଳରେ ସୁଯୋଗ ଦିଆଯାଇଥିବା ବେଳେ ଉଭୟ ମ୍ୟାଚରେ ସେ ବିଫଳ ହୋଇଛନ୍ତି । ତେଣୁ ଚତୁର୍ଥ ଟେଷ୍ଟରେ ତାଙ୍କୁ ଦଳରୁ ବାଦ୍ ଦିଆଯାଇପାରେ ।

ଏହାବ୍ୟତୀତ ଚତୁର୍ଥ ଟେଷ୍ଟରେ ଉପ-ଅଧିନାୟକ ଜଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ତାଙ୍କ ସ୍ଥାନରେ ଅନ୍ୟ ଜଣେ ବୋଲରଙ୍କୁ ଦଳର ସୁଯୋଗ ମିଳିବ । ଏହି ମ୍ୟାଚ ପାଇଁ ମୁକେଶ କୁମାର ମହମ୍ମଦ ସିରାଜଙ୍କ ନୂଆ ବୋଲିଂ ପାର୍ଟନର ହୋଇପାରନ୍ତି । ଦ୍ୱିତୀୟ ଟେଷ୍ଟରେ ସିରାଜ ବିଶ୍ରାମ ନେଇଥିବା ବେଳେ ବୁମରାହଙ୍କ ସହ ମୁକେଶ ଦଳରେ ସ୍ଥାନ ପାଇଥିଲେ । ତେଣେୁ ସେ ପୁଣିଥରେ ଚତୁର୍ଥ ମ୍ୟାଚରେ ଦଳକୁ ଫେରିବା ନେଇ ଆଶା କରାଯାଉଛି । ଏହାବ୍ୟତୀତ ଆକାଶଦୀପ ମଧ୍ୟ ଟିମ ଇଣ୍ଡିଆ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି ।

ଚତୁର୍ଥ ଟେଷ୍ଟ ପାଇଁ ଭାରତର PLaying-11: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, କେ.ଏଲ ରାହୁଲ, ସରଫରାଜ ଖାନ୍, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ/କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର ।

Get real time updates directly on you device, subscribe now.