ଆରବ ସାଗରରେ ବୃଦ୍ଧି ପାଇବ ଭାରତର ଶକ୍ତି, ଏହି ଦ୍ୱୀପକୁ ଅଧିଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧୯ା୭: ଆରବ ସାଗରେ ଶକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଖାସ୍ କରି ଏଥିପାଇଁ ଲାକ୍ଷାଦ୍ୱୀପ ପ୍ରଶାସନ ପ୍ରତିରକ୍ଷା ଉଦ୍ଦେଶ୍ୟରେ ‘ବିଟ୍ରା ଦ୍ୱୀପ’ ଅଧିଗ୍ରହଣ କରିବାକୁ ବିଚାର କରୁଛନ୍ତି। ଏହି ପଦକ୍ଷେପକୁ ଲକ୍ଷାଦ୍ୱୀପ ସାଂସଦ ହମଦୁଲ୍ଲା ସୟିଦ ତୀବ୍ର ବିରୋଧ କରିଥିଲେ। ସାଂସଦ ହମଦୁଲ୍ଲା ସୟିଦ ବିଟ୍ରାର ସ୍ଥାନୀୟ ବାସିନ୍ଦାଙ୍କୁ ତାଙ୍କର ପୂର୍ଣ୍ଣ ସମର୍ଥନ ଦେଇଥିଲେ ଏବଂ ଏହି ପ୍ରସ୍ତାବକୁ ବିରୋଧ କରିବା ପାଇଁ ରାଜନୈତିକ ଏବଂ ଆଇନଗତ ଉପାୟ ଅବଲମ୍ବନ କରିବେ ବୋଲି ଆଶ୍ୱାସନା ଦେଇଥିଲେ।
ସାମ୍ପ୍ରତିକ ଏକ ସରକାରୀ ବିଜ୍ଞପ୍ତିରେ, ରାଜସ୍ୱ ବିଭାଗକୁ ବିଟ୍ରା ଦ୍ୱୀପର ସମଗ୍ର ଅଞ୍ଚଳକୁ ଦଖଲ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଉଦ୍ଦେଶ୍ୟ କେନ୍ଦ୍ରର ସମ୍ପୃକ୍ତ ପ୍ରତିରକ୍ଷା ଏବଂ ରଣନୈତିକ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରିବା।
ପ୍ରଶାସନିକ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜ
ଗତ ସପ୍ତାହରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଦ୍ୱୀପର ରଣନୈତିକ ସ୍ଥିତି, ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହାର ପ୍ରାସଙ୍ଗିକତା ଏବଂ ସେଠାକାର ନାଗରିକ ଜନସଂଖ୍ୟା ସହିତ ଜଡିତ ପ୍ରଶାସନିକ ଏବଂ ଲଜିଷ୍ଟିକ୍ ଚ୍ୟାଲେଞ୍ଜକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଆଞ୍ଚଳିକ ପ୍ରଶାସନ ୨୦୧୩ର ଭୂମି ଅଧିଗ୍ରହଣ ଏବଂ ପୁନର୍ବାସ ଆଇନ ଅନୁଯାୟୀ ଦ୍ୱୀପକୁ ଅଧିଗ୍ରହଣ କରିବ, ଉପଯୁକ୍ତ କ୍ଷତିପୂରଣ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବ। ଏହି ସମୟରେ ଲକ୍ଷାଦ୍ୱୀପ ସାଂସଦ ହମଦୁଲ୍ଲା ସୟିଦ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନର ବିଟ୍ରା ଦ୍ୱୀପ ଅଧିଗ୍ରହଣ ପଦକ୍ଷେପକୁ ଦୃଢ଼ ବିରୋଧ କରିଛନ୍ତି।
ସେ କହିଛନ୍ତି, ଏହି ନିଷ୍ପତ୍ତି ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ଜନସଂଖ୍ୟାକୁ ସେଠାରୁ ବିସ୍ଥାପିତ କରିବା। ସାଂସଦଙ୍କ କାର୍ଯ୍ୟାଳୟରୁ ଜାରି ଏକ ବିବୃତ୍ତିରେ, ସାଂସଦ ହମଦୁଲ୍ଲା ସୟିଦ କହିଛନ୍ତି ‘ବିଟ୍ରା’ ହେଉଛି ଲକ୍ଷାଦ୍ୱୀପର ସବୁଠାରୁ ଛୋଟ ଜନସଂଖ୍ୟା ବିଶିଷ୍ଟ ଦ୍ୱୀପ ଏବଂ ପ୍ରତିରକ୍ଷା ଆବଶ୍ୟକତା ବାହାନାରେ ପ୍ରଶାସନ ଏହାକୁ ଅଧିଗ୍ରହଣ କରିବାର ପ୍ରୟାସକୁ ସେ ଦୃଢ଼ ବିରୋଧ କରିବେ।
ସେ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି। ସୟିଦ କହିଛନ୍ତି, ପ୍ରତିରକ୍ଷା ଉଦ୍ଦେଶ୍ୟରେ ଆବଶ୍ୟକ ଜମି ସରକାର ପୂର୍ବରୁ ଅନେକ ଦ୍ୱୀପ ଉପରେ ଅଧିଗ୍ରହଣ କରିସାରିଛନ୍ତି। ସେ କହିଛନ୍ତି ଏହି ବିକଳ୍ପଗୁଡ଼ିକ ମଧ୍ୟରୁ କୌଣସିଟିକୁ ବିଚାର ନକରି, ଦଶନ୍ଧି ଧରି ସ୍ଥାୟୀ ଭାବରେ ବସବାସ କରୁଥିବା ‘ବିଟ୍ରା ଦ୍ୱୀପ’କୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।
ସେ ପ୍ରଶାସନକୁ ସମାଲୋଚନା କରି କହିଛନ୍ତି, ସ୍ଥାନୀୟ ବାସିନ୍ଦାଙ୍କ ସହିତ କୌଣସି ପ୍ରକାରର ଆଲୋଚନା ବିନା ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ବିଶେଷକରି ଯେତେବେଳେ ସ୍ଥାନୀୟ ପଞ୍ଚାୟତଗୁଡ଼ିକ ମଧ୍ୟ ଦ୍ୱୀପଗୁଡ଼ିକରେ ସକ୍ରିୟ ନାହାନ୍ତି। ଏହି ପ୍ରକାରର ଏକପାଖିଆ କାର୍ଯ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କରେ ଏବଂ ସମ୍ବିଧାନ ଦ୍ୱାରା ନାଗରିକମାନଙ୍କୁ ଦିଆଯାଇଥିବା ଅଧିକାରକୁ ଉଲ୍ଲଂଘନ କରେ ବୋଲି ତାଙ୍କ ବିବୃତ୍ତିରେ କହିଛନ୍ତି ।