fbpx
BSKY
BJD MC SKY
BJD YOUTH SKY

ଭାରତର ସ୍ପିନ ମାଡ଼ରେ ତିଷ୍ଠି ପାରିଲାନି ଅଷ୍ଟ୍ରେଲିଆ: ମାତ୍ର ୨୦୦ ରନର ଦେଲା ଟାର୍ଗେଟ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ର ପ୍ରଥମ ମ୍ୟାଚରେ କମାଲ କରି ଦେଖାଇଛନ୍ତି ଭାରତୀୟ ବୋଲର । ଟିମ ଇଣ୍ଡିଆ ଷ୍ୟାର ସ୍ପିନରଙ୍କ ଯାଦୁରେ ଝଟକା ଖାଇଛନ୍ତି ଅଷ୍ଟ୍ରେଲିଆର ସମସ୍ତ ବ୍ୟାଟର । ଦିନିକିଆ ବିଶ୍ୱକପରେ ସବୁଠାରୁ ସଫଳ ଦଳ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୦୦ ରନ୍ କରିବାରେ ମଧ୍ୟ ଖୁବ ସଂଘର୍ଷ କରୁଥିବାର ଦେଖାଯାଇଛି । ଅଷ୍ଟ୍ରେଲିଆର ସମ୍ପୂର୍ଣ୍ଣ ଟିମ ଉପରେ ଭାରୀ ପଡ଼ିଛନ୍ତି ରବିନ୍ଦ୍ର ଜାଡେଜା ଏବଂ ଦଳର ଅନ୍ୟ ବୋଲର । ଫଳରେ ମାତ୍ର ୧୯୯ ରନରେ ଅଲ ଆଉଟ ହୋଇ ପାଭିଲିୟନ ଫେରିଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଭାରତର ସମସ୍ତ ବୋଲର ୱିକେଟ ହାସଲ କରିଥିବା ବେଳେ ଜାଡେଜା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

ଭାରତ ବିପକ୍ଷ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଦଳ ଉପରେ ମହଙ୍ଗା ପଡ଼ିଛି । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନି ଅଷ୍ଟ୍ରେଲିଆର ବିରାଟ ବ୍ୟାଟିଂ ଲାଇନ୍ ଅପ୍ । ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କ ଦ୍ୱିତୀୟ ଓଭରରେ ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଲାଗିଥିଲା । କିନ୍ତୁ ଏହାପରେ ଡାଭିଡ ୱାର୍ଣ୍ଣର ଏବଂ ଷ୍ଟିଭ ସ୍ମିଥ ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ତେବେ ୬୯ ରନର ପାର୍ଟନରସିପ ଚାଲିଥିବା ବେଳେ କୁଳଦୀପ ଯାଦବ ୱାର୍ଣ୍ଣରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଏହି ୱିକେଟ ପରେ ଅଷ୍ଟ୍ରେଲିଆ ବ୍ୟାକଫୁଟକୁ ଚାଲିଯାଇଥିଲା । ବୁମରାହ ଏବଂ କୁଳଦୀପଙ୍କ ପରେ ଅଷ୍ଟ୍ରେଲିଆ ପାଇଁ ଖୁବ ମହଙ୍ଗା ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ୧୦ ଓଭରରେ ୨୮ ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଷ୍ଟିଭ ସ୍ମିଥ, ମାର୍ନସ ଲାବୁସେନ ଏବଂ ଆଲେକ୍ସ କ୍ୟାରୀଙ୍କ ୱିକେଟ ନେଇ ଅଷ୍ଟ୍ରେଲିଆର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଜାଡେଜା ।

ଜାଡେଜା ଶୋ’ ପରେ ଭାରତର ସମସ୍ତ ବୋଲର ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ିଛନ୍ତି । ଯାହା ଫଳରେ ଦିନିକିଆ ବିଶ୍ୱକପର ସର୍ବଶ୍ରେଷ୍ଠ ଦଳ ୨୦୦ ରନ୍ କରିବାକୁ ବି ଅସମର୍ଥ ହୋଇ ପଡ଼ିଛି । ୫୦ ଓଭର ଶେଷ ହେବା ପୂର୍ବରୁ ହିଁ ମାତ୍ର ୧୯୯ ରନରେ ଅଲ ଆଉଟ ହୋଇଛି ଅଷ୍ଟ୍ରେଲିଆ । ତେବେ ମ୍ୟାଚରେ ରବିନ୍ଦ୍ର ଜାଡେଜା ସର୍ବାଧିକ ୩ଟି ୱିକେଟ ହାସଲ କରିଥିବା ବେଳେ ଜଶପ୍ରୀତ ବୁମରାହ ଏବଂ କୁଳଦୀପ ଯାଦବ ୨ଟି ଲେଖାଏଁ ସଫଳତା ପାଇଛନ୍ତି । ଏହାବ୍ୟତୀତ ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଗୋଟିଏ ଲେଖାଁ ୱିକେଟ ପ୍ରାପ୍ତ ହୋଇଛି ।

ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଷ୍ଟିଭ ସ୍ମିଥ ସର୍ବାଧିକ ୪୬ ରନ୍ ସଂଗ୍ରହ କରିଥିବା ବେଳେ ଡାଭିଡ ୱାର୍ଣ୍ଣର ୪୧ ରନ୍ କରି ପାଭିଲିୟନ ଫେରିଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିବାରେ ସମର୍ଥ ହୋଇ ପାରିନାହାନ୍ତି । ମାର୍ନସ ଲାବୁସେନ୍ (୨୭), ଗ୍ଲେନ ମାକ୍ସୱେଲ(୧୫) ଏବଂ ମିଚେଲ ଷ୍ଟାର୍କ (୨୮) ରନ୍ କରି ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଫେଲ ମାରିଛନ୍ତି । ତେବେ ଅଷ୍ଟ୍ରେଲିଆର ୩ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିବା ବେଳେ ୨ ଜଣ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ତେବେ ବର୍ତ୍ତମାନ ଭାରତ ସାମ୍ନାରେ ମାତ୍ର ୨୦୦ ରନର ଏକ ଚୋଟ ଲକ୍ଷ୍ୟ ଦେଇଛି ଅଷ୍ଟ୍ରେଲିଆ ।

Get real time updates directly on you device, subscribe now.