fbpx

Flightରେ ପ୍ରାଣ ହରାଇଲେ ଯାତ୍ରୀ: ଦୋହା ଯିବା ବାଟରେ ଜରୁରୀକାଳୀନ ଲାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ବାହାରି ଦୋହା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଇଣ୍ଡିଗୋ ବିମାନ । କିନ୍ତ ମଝି ରାସ୍ତାରେ ଏମିତି ଏକ ଅଘଟଣ ଘଟିଯାଇଛି, ଯାହା ଫଳରେ ବିମାନକୁ ଜରୁରୀକାଳୀନ ଲାଣ୍ଡିଂ କରିବାକୁ ବାଧ୍ୟ ହୋଇଛନ୍ତି ପାଇଲଟ । ଯିବା ବାଟରେ ବିମାନ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତେଣୁ ଦୋହାରେ ପହଞ୍ଚିବା ପୂର୍ବରୁ ଫ୍ଲାଇଟକୁ ଅବତରଣ କରାଯାଇଛି ।

ସୂଚନା ମୁତାବକ, ଇଣ୍ଡିଗୋ ୬ଇ-୧୭୩୬ ଫ୍ଲାଇଟ ଦିଲ୍ଲୀରୁ କତରର ଦୋହା ଅଭିମୁଖେ ଟେକ୍-ଅଫ୍ କରିଥିଲା । କିନ୍ତୁ ହଠାତ୍ ନାଇଜେରିଆର ଜଣେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଚିକିତ୍ସା ପାଇଁ ଇମରଜେନ୍ସି ଲାଣ୍ଡିଂ କରାଇଛି ଏହି ବିମାନ । ମେଡିକାଲ ଇମରଜେନ୍ସି କାରଣ ଦର୍ଶାଇ ବିମାନ ନିଜର ରୁଟ ପରିବର୍ତ୍ତନ କରିବା ସହ କରାଚୀରେ ଅବତରଣ କରିଛି । କିନ୍ତୁ ଲାଣ୍ଡି ପରେ ଏୟାରପୋର୍ଟର ମେଡିକାଲ ଟିମ୍ ଯାତ୍ରୀଙ୍କୁ ମୃତ ଘୋଷଣା କରିଛି । ପାକିସ୍ତାନ ନାଗରିକ ଉଡ୍ଡୟନ ପ୍ରାଧିକରଣ(ସିଏଏ) ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂସ୍ଥାନ, ଇସଲାମାବାଦ(ଏନଆଇଏଚ)ର ଡାକ୍ତରମାନେ ଯାତ୍ରୀଙ୍କୁ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ।

ମେଡିକାଲ ଇମରଜେନ୍ସି କାରଣରୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ପାଇଲଟଙ୍କୁ ଇମରଜେନ୍ସି ଲାଣ୍ଡିଂ କରିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଯାତ୍ରୀଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଅନ୍ୟ ଯାତ୍ରୀମାନଙ୍କୁ ଟାନ୍ସଫର କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଏୟାରଲାଇନ ତରଫରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.