fbpx

ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ରାଜ୍ୟ ବୀମା ଯୋଜନା’: ରାଜ୍ୟର ଶିକ୍ଷାନୁଷ୍ଠାନରେ ସାମିଲ ହେବ ଇନସ୍ୟୁରାନ୍ସ ପାଠ୍ୟକ୍ରମ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖରେ ବୀମା ବା ଇନସ୍ୟୁରାନ୍ସ ନାହିଁ । ତେଣୁ ଅଧିକ ଲୋକ କିପରି ବୀମା କରିପାରିବେ ସେଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ତେଣୁ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ବୀମା ଜ୍ଞାନ ଓ ସଚେତନତା ବୃଦ୍ଧି ପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି । ସେଥିପାଇଁ ଶିକ୍ଷାନୁଷ୍ଠାନରେ ବୀମା ପାଠ୍ୟକ୍ରମକୁ ସାମିଲ କରାଯାଇପାରେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବୀମା ଉପରେ ଅଧିକ ଜ୍ଞାନ ଆହରଣ କରିବା ସହିତ ବୀମା କରିବାକୁ ଆଗ୍ରହ ପ୍ରକାଶ କରିବେ । ଏନେଇ ଏକ ଖସଡ଼ା ପ୍ରସ୍ତତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ କୁହାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଲୋକଙ୍କ ମଧ୍ୟରେ ବୀମା ନେଇ ଆଗ୍ରହ ସୃଷ୍ଟି କରିବା ପାଇଁ ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ପକ୍ଷରୁ ଏକ ପ୍ରସ୍ତାବ ଅଣାଯାଇଛି । ଏହି ପ୍ରସ୍ତାବିତ ଯୋଜନାର ନାମ ‘ରାଜ୍ୟ ବୀମା ଯୋଜନା’ ରଖାଯାଇଥିବା ବେଳେ ଏନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବୀମାଭୁକ୍ତ ହୋଇନଥିବା ଲୋକଙ୍କ ନିକଟରେ ବୀମା ସେବା ପହଞ୍ଚାଇବାର ଆବଶ୍ୟକତା ରହିଥିବା ସେ କହିଥିଲେ ।

ବର୍ତ୍ତମାନ ରାଜ୍ୟରେ ବୀମା ହାର ୩.୮ ପ୍ରତିଶତ ରହିଥିବା ବେଳେ ଜାତୀୟ ହାର ୪.୨ ପ୍ରତିଶତ ରହିଛି । ଜାତୀୟ ହାରଠାରୁ ରାଜ୍ୟରେ ବୀମା ପ୍ରତିଶତ କମ୍ ରହିଛି । ରାଜ୍ୟର ପ୍ରତି ଲୋକଙ୍କ ପାଖରେ କିପରି କିପରି ବୀମା ସେବା ପହଞ୍ଚି ପାରିବ ସେନେଇ ରାଜ୍ୟ ବୀମା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ରାଜ୍ୟ ବୀମା ଯୋଜନାରେ ଅକାଳ ମୃତ୍ୟୁ ଯୋଗୁଁ ଜୀବନର ସୁରକ୍ଷା ସୁନିଶ୍ଚିତ ହୋଇ ପାରିବ । ଯୁବପୀଢ଼ିଙ୍କ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଓ ଦକ୍ଷତା ବିକାଶ ଦିଗରେ ଏହା ସହାୟକ ହେବ । ବାର୍ଦ୍ଧକ୍ୟରେ ଆୟ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ମିଳିପାରିବ । ଅଧିକାଂଶ ଲୋକ କିପରି ବୀମା କରିବାକୁ ଆଗ୍ରହୀ ହେବେ ସେଥିପାଇଁ ରାଜ୍ୟସ୍ତରୀୟ ବୀମା କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ସଂଗଠନ, ଏମଏସଏମଇ ଗୋଷ୍ଠୀ, ଶିକ୍ଷକ ସଂଗଠନକଙ୍କୁ ନେଇ ବୀମା କମ୍ପାନୀ ସହିତ ଚୁକ୍ତିନାମା କରାଯିବ । ଏଥିସହିତ ଜିଲ୍ଲା ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯିବ ବୋଲି କମିଶନର କହିଛନ୍ତି ।

Get real time updates directly on you device, subscribe now.