fbpx

‘Sahara Refund Portal’ ମାଧ୍ୟମରେ ସାହାରା ନିବେଶକଙ୍କୁ ମିଳିବ ଅର୍ଥ? ଜୁଲାଇ ୧୮ରେ ଗୃହମନ୍ତ୍ରୀ ଲଞ୍ଚ କରିବେ ନୂଆ ୱେବସାଇଟ୍

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ନିବେଶକଙ୍କର ଅର୍ଥ ସାହାରା ଇଣ୍ଡିଆରେ ଫଶି ରହିଛି । ନିବେଶ ଅବଧି ସରିବା ପରେ ମଧ୍ୟ ଅର୍ଥ ଫେରସ୍ତ ନ ମିଳିବା ଫଳରେ ବିଭିନ୍ନ ରାଜ୍ୟରେ ନିବେଶକମାନେ ସାହାରା ଇଣ୍ଡିଆ ବିରୋଧରେ ଆନ୍ଦୋଳନ କରୁଛନ୍ତି । ନିଜର ନିବେଶ ଅର୍ଥ ପାଇବା ପାଇଁ ଗରିବ ଲୋକମାନେ ବିକଳ ହୋଇ ଚାହିଁ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର ।

ସୂଚନା ମୁତାବକ, ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ସାହାରା ରିଫଣ୍ଡ ପୋର୍ଟାଲ’ ଲଞ୍ଚ କରିବେ । ଏହି ୱେବସାଇଟକୁ ସକାଳ ୧୧ଟା ସମୟରେ ଉର୍ଜା ଭବନରେ ଲଞ୍ଚ କରାଯିବ । ଯେଉଁମାନଙ୍କର ନିବେଶ ଅବଧି ସମାପ୍ତ ହୋଇଯାଇଥିବ ସେମାନଙ୍କୁ ଏହି ପୋର୍ଟାଲ ମାଧ୍ୟମରେ ଅର୍ଥ ଫେରସ୍ତ କରାଯିବ । ନିବେଶକଙ୍କୁ କେଉଁ ପ୍ରକ୍ରିୟାରେ ଅର୍ଥ ଫେରସ୍ତ କରାଯିବ ସେନେଇ ଏହି ୱେବସାଇଟରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ରହିବ ।

ଦେଶର ଲକ୍ଷ ଲକ୍ଷ ନିବେଶକଙ୍କର କୋଟି କୋଟି ଅର୍ଥ ସାହାରା ଇଣ୍ଡିଆରେ ଫଶି ରହିଛି । ନିଜର ନିବେଶ ଅର୍ଥ ଫେରି ପାଇବାକୁ ନିବେଶକମାନେ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ମାଚ୍ୟୁରିଟି ପିରିୟଡ୍ ସମାପ୍ତ ହେବା ପରେ ବି ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରାଯାଇ ନାହିଁ । ଏନେଇ ନିବେଶକମାନେ ବହୁବାର ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ, ମାତ୍ର କୌଣସି ସୁଫଳ ମିଳିନଥିଲା । ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସାହାରା ଇଣ୍ଡିଆର ଅଧିକ ନିବେଶ କରିଥିବାରୁ ସେହି ରାଜ୍ୟମାନଙ୍କରେ ଅଧିକ ଆନ୍ଦୋଳନ କରାଯାଉଛି । ଏହି ମାମଲାରେ ନିବେଶକମାନେ ସରକାରଙ୍କ ନିକଟରେ ଅପିଲ କରିଥିଲେ । ଏହାପରେ ଏବେ ୱେବସାଇଟ୍ ମାଧ୍ୟମରେ ଅର୍ଥ ଫେରସ୍ତ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.