କଟକ (ଭାସ୍କର ନ୍ୟୁଜ): ଆସନ୍ତା ୧୨ ଓ ୧୩ ତାରିଖ ଦିନ ବେଙ୍ଗାଲୁରରେ ଅନୁଷ୍ଠିତ ହେବ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଖେଳାଳି ନିଲାମ ପ୍ରକ୍ରିୟା । ଏଥିପାଇଁ ଦେଶ ବିଦେଶର ୫୯୦ ଖେଳାଳିଙ୍କ ନାମ ପଞ୍ଜିକୃତ ହୋଇ ଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ଓଡିଶାର ଅଭିଶେକ ରାଉତ ଓ ଶୁଭ୍ରାଂଶୁ ସେନାପତି । ଓଡିଶା କ୍ରିକେଟ ଆସୋସିଏସନ ପାଞ୍ଚ ଜଣ ଖେଳାଳିଙ୍କ ନାମ ସୁପାରିସ କରିଥିଲା । ମାତ୍ର ଅଭିଶେକ ରାଉତ ଓ ଶୁଭ୍ରାଂଶୁ ସେନାପତିଙ୍କ ନାମ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟା ପାଇଁ ଚୂଡାନ୍ତ ହୋଇଛି । ତେଣୁ ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ଏହି ଦୁଇ ଖେଳାଳିଙ୍କର ସଫଳତା କାମନା କରିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଓସିଏର ଅନ୍ୟ ସମସ୍ତ କର୍ମକର୍ତ୍ତା ।
ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଆଇପିଏଲର ୧୫ତମ ସଂସ୍କରଣରେ ଦୁଇ ନୂଆ ଫ୍ରାଞ୍ଚାଇଜ ଲକ୍ଷ୍ନୌ ଓ ଅହମ୍ମଦାବାଦ ସାମିଲ ହୋଇଛନ୍ତି । ତେଣୁ ମୋଟ ୧୦ ଫ୍ରାଞ୍ଚାଇଜ ସେମାନଙ୍କର ମନ ପସନ୍ଦ ଖେଳାଳି ଚୟନ କରିବେ । ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ ପାଇଁ ନିୟମିତ ଖେଳି ଆସୁଥିବା ଦେଶ ବିଦେଶର ସମସ୍ତ ପ୍ରମୁଖ ଖେଳାଳି ଚଳିତ ବର୍ଷର ଆଇପିଏଲ ଖେଳାଳି ନିଲାମ ପ୍ରକ୍ରିୟାରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବେ । ତେଣୁ ବିଭିନ୍ନ ଫ୍ରାଞ୍ଚାଇଜ ସେମାନଙ୍କୁ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥର ଦୁଇ ନୂଆ ଫ୍ରାଞ୍ଚାଇଜ ସାମିଲ ହୋଇ ଥିବାରୁ ବହୁ ସଂଖ୍ୟକ ଖେଳାଳି ସୁଯୋଗ ପାଇବେ । ତେବେ ପୂର୍ବର ୮ ଫ୍ରାଞ୍ଚାଇଜ କେବଳ ୪ ଖେଳାଳିଙ୍କୁ ରଖି ଅନ୍ୟ ସମସ୍ତ ନିୟମିତ ଖେଳାଳିଙ୍କୁ ରିଲିଜ କରି ଥିବାରୁ ବ୍ୟାପକ ଅଦଳ ବଦଳ ହେବା ସମ୍ଭାବନା ରହିଛି ।