ଆଜିଠୁ ଆଇପିଏଲ-୧୫ର ମେଗା ନିଲାମି: ୫୯୦ ଖେଳାଳିଙ୍କୁ କିଣିବେ ବିଭିନ୍ନ ଫ୍ରାଞ୍ଚାଇଜ, ଖେଳାଳି ନିଲାମ ପାଇଁ ୯୦୦ କୋଟି ଟଙ୍କା

ବେଙ୍ଗାଲୁର: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୫ତମ ସଂସ୍କରଣ ପାଇଁ ଏଠାରେ ଶନିବାର ଓ ରବିବାର ଦିନ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଫ୍ରାଞ୍ଚାଇଜ ୯୦୦ କୋଟି ଟଙ୍କା ମଧ୍ୟରେ ଖେଳାଳିଙ୍କୁ କିଣିବା ଯୋଜନା ଥିବା ବେଳେ ନିଲାମ ପୂର୍ବରୁ ୩୮୪.୫ କୋଟି ଟଙ୍କାରେ ସଂଖ୍ୟାଧିକ ଖେଳାଳିଙ୍କୁ ଅନୁବନ୍ଧିତ କରି ସାରିଛନ୍ତି । ଅବଶିଷ୍ଟ ୫୧୫.୫ କୋଟି ଟଙ୍କାରେ ଦେଶ ବିଦୋର ୫୯୦ ଖେଳାଳିଙ୍କୁ କିଣିବେ ବିଭିନ୍ନ ଫ୍ରାଞ୍ଚାଇଜ । ଆଇପିଏଲ ଖେଳାଳି ନିଲାମ ପାଇଁ ଭାରତ ସମେତ ଅନ୍ୟ ଦେଶର ମୋଟ ୧୨୧୪ ଖେଳାଳି ପଞ୍ଜିକୃତ ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୯୦ ଖେଳାଳିଙ୍କୁ ଚୂଡାନ୍ତ ତାଲିକାରେ ରଖା ଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳି ।

ସେହିପରି ଆଇସିସିର ସହଯୋଗୀ ରାଷ୍ଟ୍ରରୁ ୭ ଖେଳାଳି । ସେହିପରି ୫୯୦ ଖେଳାଳିଙ୍କ ମଧ୍ୟରେ ୨୨୮ କ୍ୟାପଡ୍‌ ଖେଳାଳି ଓ ୩୫୫ ଅନକ୍ୟାପଡ୍‌ ଖେଳାଳି ଅଛନ୍ତି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ନିଲାମ ପ୍ରକ୍ରିୟାରେ ସାମିଲ ଖେଳାଳିଙ୍କ ମଧ୍ୟରୁ ୪୮ ଖେଳାଳିଙ୍କର ବେସ୍‌ ପ୍ରାଇସ ୨ କୋଟିରୁ ଅଧିକ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଭାରତର ୧୭ କ୍ରିକେଟର । ସେହିପରି ୩ ଭାରତୀୟଙ୍କ ସହିତ ଅନ୍ୟ ୨୦ ଖେଳାଳିଙ୍କର ବେସ୍‌ ପ୍ରାଇସ ୧.୫ କୋଟି ଓ ୩୪ ଖେଳାଳିଙ୍କର ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ଧାର୍ଯ୍ୟ କରା ଯାଇଛି । ଏମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୧୦ ଭାରତୀୟ ଖେଳାଳି ।

ସେହିପରି ୫ ଭାରତୀୟଙ୍କ ସହିତ ୨୫ କ୍ରିକେଟରଙ୍କର ବେସ୍‌ ପ୍ରାଇସ ୭୫ ଲକ୍ଷ ଓ ଅବଶିଷ୍ଟ ୪୬୩ କ୍ରିକେଟରଙ୍କର ବେସ ପ୍ରାଇସ ୨୫ରୁ ୩୦ ଲକ୍ଷ ଟଙ୍କା ରହିଛି । ତେଣୁ ସବୁ ଖେଳାଳିଙ୍କର ବେସ୍‌ ପ୍ରାଇସ୍‌ ତୁଳନାରେ ଅଧିକ ଟଙ୍କାରେ ବିଭିନ୍ନ ଫ୍ରାଞ୍ଚାଇଜ ସହିତ ଅନୁବନ୍ଧିତ ହେବେ । କାରଣ ଯେଉଁ ଖେଳାଳିଙ୍କ ପ୍ରତି ଅଧିକ ଚାହିଦା ରହିଛି ,ସେମାନଙ୍କୁ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହେବ । ଚଳିତ ବର୍ଷ ୧୦ ଫ୍ରାଞ୍ଚାଇଜ ମଧ୍ୟରେ ଲଢ଼େଇ ହେବା ପାଇଁ ଥିବାରୁ କିଏ କେଉଁ ଦଳ ପାଇଁ ଖେଳିବେ ତାହା ଏହି ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହେବ । ତେବେ ସମସ୍ତ ଫ୍ରାଞ୍ଚାଇଜ ଉଚ୍ଚ ଦାମରେ ପ୍ରାୟ ୪୦ ଖେଳାଳିଙ୍କ ସହିତ ଅନୁବନ୍ଧିତ ହୋଇ ସାରିଛନ୍ତି । ତେଣୁ ଅବଶିଷ୍ଟ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣକୁ କେବଳ ଅପେକ୍ଷା ।