fbpx

କୃଷ୍ଣ ପ୍ରେମରେ ଆଇପିଏସ୍ ଭାରତୀ, ମୀରା ହେବାକୁ ଆଗ୍ରହ, ସେଥିପାଇଁ…

ଓଡ଼ିଶା ଭାସ୍କର ବ୍ୟୁରୋ: ବୃତ୍ତିରେ ସେ ବରିଷ୍ଠ ଆଇପିଏସ୍ ଅଫିସର୍ । ହେଲେ ମନୋବୃତ୍ତି କୃଷ୍ଣ ପ୍ରେମରେ ତଲ୍ଲୀନ । ଖାସ୍ ଶ୍ରୀକୃଷ୍ଣଙ୍କ ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା ପାଇଁ ସେ ମର୍ଯ୍ୟାଦାଜନକ ଆଇପିଏସ୍ ପଦବୀ ନିଜଆଡୁ ତ୍ୟାଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏଭଳି ବିରଳ ମହିଳା ଅଧିକାରୀ ଜଣଙ୍କ ହେଉଛନ୍ତି ହରିୟାଣାର ଭାରତୀ ଅରୋରା ।

କୃଷ୍ଣ ଭକ୍ତିରେ ହଜି ଯିବା ଆଉ ମଜି ଯିବା ପାଇଁ ଭାରତୀ ଚାକିରିରୁ ଭିଆରଏସ୍ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେ ମୀରା ଭଳି ଶ୍ରୀକୃଷ୍ଣଙ୍କ ସେବା କରିବାକୁ ଖୁବ୍ ଆଗ୍ରହୀ । ଦୀର୍ଘ ୨୩ ବର୍ଷର ପୋଲିସ୍ ସେବା ଅବସରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟିଥିବା ଭାରତୀ ସମ୍ପ୍ରତି ଅମ୍ବାଲା ରେଞ୍ଜ୍ରେ ପୋଲିସ୍ ମହାନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ନିଜ ଜୀବନର ଅନ୍ତିମ ପର୍ଯ୍ୟାୟ ସେ ଶ୍ରୀକୃଷ୍ଣଙ୍କ ସେବାରେ ଉତ୍ସର୍ଗ ହେବା ପାଇଁ ମତ ଦେଇଛନ୍ତି । ଆଉ ଏଥିପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସେ ପତ୍ର ଲେଖି ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ମାଗିଛନ୍ତି । ପୋଲିସ୍ ମହାନିର୍ଦ୍ଦେଶକ ମନୋଜ ଯାଦବଙ୍କ ଜରିଆରେ ମୁଖ୍ୟ ସଚିବ ବିଜୟ ବର୍ଦ୍ଧନଙ୍କୁ ଦେଇଥିବା ପତ୍ରରେ ଭାରତୀ ଲେଖିଛନ୍ତି ଯେ- ଅଖିଳ ଭାରତୀୟ ସେବା ନିୟମ-୧୯୫୮ ଆଧାରରେ ୨୦୨୧ ଅଗଷ୍ଟ ୧ରୁ ମୁଁ ୫୦ ବର୍ଷ ବୟସରେ ସ୍ୱେଚ୍ଛାକୃତ ଅବସର ପାଇଁ ନିବେଦନ କରୁଅଛି ।
ଭାରତୀ କହିଛନ୍ତି ଯେ ସେ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତି କରିବାକୁ ଚାହୁଛନ୍ତି । ଗୁରୁ ନାନକ, ଚୈତନ୍ୟ ମହାପ୍ରଭୁ, କବୀର ଦାସ, ତୁଳସୀ ଦାସ, ସୁର ଦାସ ଓ ମୀରାବାଈଙ୍କ ଭଳି ସାଧୁସନ୍ଥଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶକରେ ଆଗକୁ ବଢ଼ିବା ସହ ଅବଶିଷ୍ଟ ଜୀବନ ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତିରେ ସମର୍ପିତ ହେବାକୁ ଚାହୁଛି ବୋଲି ଭାରତୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦୦୯ରେ ବିଜେପି ବିଧାୟକ ଅନୀଲ୍ ବିଜଙ୍କୁ ଗିରଫ କରିବା ଘଟଣାରେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ ଭାରତୀ । ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ଭାରତୀ ୨୦୦୭ ସମଝୋତା ଏକ୍ସପ୍ରେସ୍ ଟ୍ରେନ୍ ବିସ୍ଫୋରଣ ମାମଲା ସମୟରେ ରେଳ ବିଭାଗ ପୋଲିସ୍ ଅଧୀକ୍ଷକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବରିଷ୍ଠ ପୋଲିସ୍ ପଦବୀରେ ଥାଇ ତରୁନ୍ ବାରୋଟ୍ ଏବଂ ଗୁପ୍ତେଶ୍ୱର ପାଣ୍ଡେ ମଧ୍ୟ କୃଷ୍ଣ ପ୍ରେମରେ ତଲ୍ଲୀନ ହୋଇଯାଇଥିଲେ । ଆଉ ଏଥିପାଇଁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତରୁନ ଜଣେ ଏନକାଉଣ୍ଟର୍ ସ୍ପେସାଲିଷ୍ଟ ଥିଲେ ଏବଂ ଗୁପ୍ତେଶ୍ୱର ରାଜନୀତି ଆଡ଼କୁ ଆକର୍ଷିତ ହୋଇ ପରେ ବିଭୂ ଶରଣ ନେଇଥିଲେ । ସେହିପରି ଆଇପିଏସ୍ ଅଫିସର୍ ଡିକେ ପଣ୍ଡା ମଧ୍ୟ ନିଜକୁ ରାଧା ବେଶରେ ସଜାଇ ହୋଇ ଚର୍ଚ୍ଚାକୁ ଆସିଥିଲେ ।

Get real time updates directly on you device, subscribe now.