fbpx

ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଆମେରିକା ସେନା ଶିବିରକୁ ଇରାନର ରକେଟ୍ ମାଡ଼

ବାଗଦାଦ୍ / ୱାସିଂଟନ / ତେହେରାନ୍, ୪ା୧: ବାଗଦାଦରେ ଆମେରିକାର ଏୟାର ଷ୍ଟ୍ରାଇକ ଫଳରେ ଇରାନର ଟପ କମାଣ୍ଡର କ୍ୱାସିମ ସୋଲେମାନିର ମୃତ୍ୟୁ ହୋଇଥିଲା । ଏହାପରେ ଆମେରିକା ଓ ଇରାନ ମୁହାଁମୁହିଁ ହେବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ବିଳମ୍ବିତ ରାତ୍ରରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକୀୟ ସେନା ଶିବିର ଉପରେ ଇରାନ ତରଫରୁ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଗ୍ରୀନ୍ ଜୋନ୍ରେ ଅର୍ଥାତ୍ ଅନ୍ତର୍ଜାତୀୟ କାର୍ଯ୍ୟାଳୟ ଓ ଦୂତାବାସ ନିକଟରେ ଏହି ମିସାଇଲ୍ ମାଡ ହୋଇଛି । ଘଟଣା ପରେ ଦୂତାବାସ ନିକଟରେ ଥିବା ସଡକକୁ ବନ୍ଦ କରି ଦିଆଯାଇଛି । ପ୍ରତିଶୋଧ ପରାୟଣ ହୋଇ ଇରାନ ଏପରି କରିଥିବା କୁହାଯାଉଛି । ଏହାପୂର୍ବରୁ ଲଗାତର ଦ୍ୱିତୀୟ ଦିନ ଆମେରିକାର ଆକ୍ରମଣରେ ଇରାନର ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହ ଇରାନ୍ ନାଗରିକଙ୍କ ମଧ୍ୟରେ ଆମେରିକା ପ୍ରତି ଜନଅସନ୍ତୋଷ ସୃଷ୍ଟି ହୋଇଛି । ହଜାର ହଜାର ଇରାନ ନାଗରିକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ଆମେରିକାର ଜାତୀୟ ପତାକା ପୋଡିଛନ୍ତି । ଆମେରିକାର ଆକ୍ରମଣ ପରେ ବିଶ୍ୱବ୍ୟାପୀ ପେଟ୍ରୋଲ, ଡିଜେଲ, ସୁନା ଦର ଓ ସେୟାର ବଜାର ମଧ୍ୟ ପ୍ରଭାବିତ ହୋଇଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଜେନେରାଲ କ୍ୱାସେମ ସୋଲେମାନି ସମ୍ପର୍କରେ ଆଉ ଏକ ସୂଚନା ଦେଇଛନ୍ତି । ଭାରତ ବିରୋଧରେ ମଧ୍ୟ ସୋଲେମାନି ଷଡଯନ୍ତ୍ର ଚଳାଇଥିଲା । ଏପରିକି ନୂଆଦିଲ୍ଲୀଠାରେ ଇସ୍ରାଏଲ୍ ରାଷ୍ଟ୍ରଦୂତଙ୍କ କାର ଉପରେ ହୋଇଥିବା ଆକ୍ରମଣ ପଛରେ ସୋଲେମାନିର ହାତ ଥିଲାବୋଲି ଟ୍ରମ୍ପ କହିଛନ୍ତି । ପ୍ରକାଶଯୋଗ୍ୟ, ଆମେରିକା ଶୁକ୍ରବାର କରିଥିବା ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ବା କ୍ରାନ୍ତିକାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କ୍ୱାସେମ ସୋଲେମାନିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ସୋଲେମାନିଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଇରାକର ପପୁଲାର ମୋବଲାଇଜେସନ ଫୋର୍ସର ଡେପୁଟି କମାଣ୍ଡର ଆବୁ ମେହଦି ଅଲ ମୁହାଁନ୍ଦିସରଙ୍କ ମଧ୍ୟ ଥିଲେ । ନିକଟରେ ବାଗଦାଦରେ ଥିବା ଆମେରିକାର ଦୂତବାସ ଉପରକୁ ଇରାନ ମିଲିଶିଆ ସମର୍ଥନରେ ଆକ୍ରମଣ କରିଥିବାରୁ ଆମେରିକା ଏହି ଏୟାରଷ୍ଟ୍ରାଇକ୍ କରିଥିଲା । ଏହି ଘଟଣା ପରେ ଇରାନ ଓ ଆମେରିକା ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତେବେ ଆମେରିକା ଇରାନ୍ ସହ ଯୁଦ୍ଧ କରିବାକୁ ଚାହୁଁ ନାହିଁ, ଯଦି କୌଣସି ଇସଲାମିକ ଦେଶ ଯୁଦ୍ଧ କରିବାକୁ ଆସିବେ ତାହେଲେ ଆମେରିକା ମଧ୍ୟ ଏଥିପାଇଁ ପ୍ରସ୍ତୁତ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି ଦର୍ଶାଇଛନ୍ତି ।

Get real time updates directly on you device, subscribe now.