fbpx

ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ୫୨ଟି ସ୍ଥାନକୁ ଆମେରିକାର ଟାର୍ଗେଟ

ବାଗଦାଦ୍,୫ ।୧: ଦୂତାବାସ ଉପରେ ଆକ୍ରମଣ ପରେ ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ । ପ୍ରାଚୀନ ଇରାନ ସଂସ୍କୃତି ଧ୍ୱଂସ କରିଦେବାକୁ ଚେତାବନୀ ଦେବା ସହ ଆମେରିକୀୟଙ୍କୁ ଆକ୍ରମଣ କଲେ କଡା ଜବାବ ଦେବୁ ବୋଲି ଟ୍ରମ୍ପ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, ଆମେରିକାର ଅନ୍ୟ ସ୍ଥାନ ଉପରେ ଆକ୍ରମଣ ପାଇଁ ଇରାନ ପ୍ରସ୍ତୁତ ହେଉଛି । ଦୀର୍ଘବର୍ଷ ଧରି ଇରାନ ସମସ୍ୟା ହୋଇ ରହିଛି । ଆମେରିକୀୟଙ୍କୁ ଆକ୍ରମଣ କଲେ ଇରାନର ୫୨ଟି ସ୍ଥାନରେ ଆକ୍ରମଣ କରାଯିବ । ଇରାନ୍ ନସୁଧୁରିଲେ ତୁରନ୍ତ ଆକ୍ରମଣ କରାଯିବ । ଆମେରିକା କୌଣସି ଧମକକୁ ଶୁଣିବ ନାହିଁ ।’

ତେବେ ଇରାନର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି । ଅନ୍ୟପଟେ ଗତକାଲି ବିଳମ୍ୱିତ ରାତ୍ରରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକୀୟ ସେନା ଶିବିର ଉପରେ ଇରାନ ତରଫରୁ ମିସାଇଲ୍ ମାଡ଼ କରାଯାଇଥିଲା । ଗ୍ରୀନ୍ ଜୋନରେ ଅର୍ଥାତ୍ ଅନ୍ତର୍ଜାତୀୟ କାର୍ଯ୍ୟାଳୟ ଓ ଦୂତାବାସ ନିକଟରେ ଏହି ମିସାଇଲ୍ ମାଡ ହୋଇଥିଲା । ଘଟଣା ପରେ ଦୂତାବାସ ନିକଟରେ ଥିବା ସଡକକୁ ବନ୍ଦ କରି ଦିଆଯାଇଛି । ପ୍ରତିଶୋଧ ପରାୟଣ ହୋଇ ଇରାନ ଏପରି କରିଥିବା କୁହାଯାଉଛି । ଏହାପୂର୍ବରୁ ଲଗାତର ଦ୍ୱିତୀୟ ଦିନ ଆମେରିକାର ଆକ୍ରମଣରେ ଇରାନର ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସହ ଇରାନ୍ ନାଗରିକଙ୍କ ମଧ୍ୟରେ ଆମେରିକା ପ୍ରତି ଜନଅସନ୍ତୋଷ ସୃଷ୍ଟି ହୋଇଛି । ହଜାର ହଜାର ଇରାନ ନାଗରିକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ଆମେରିକାର ଜାତୀୟ ପତାକା ପୋଡିଛନ୍ତି ।

Get real time updates directly on you device, subscribe now.