fbpx
BJD SKY
BJD SKY

ଇଶାନ ନା ଶୁଭମନ… ରୋହିତଙ୍କ ସହ କିଏ କରିବେ ଓପନିଙ୍ଗ? ଅଧିନାୟକଙ୍କ ପାଇଁ ବଡ଼ ପ୍ରଶ୍ନ

BJD

ନୂଆଦିଲ୍ଲୀ: ଏସିଆ କପ-୨୦୨୩ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଏହପୂର୍ବରୁ ବିସିସିଆଇ ଦ୍ୱାରା ଆୟୋଜିତ ହୋଇଥିବା ୟୋ-ୟୋ ଟେଷ୍ଟରେ ସମସ୍ତ ଖେଳାଳି ପାସ୍ ମଧ୍ୟ କରିଛନ୍ତି । ଏହାପରେ ବି ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ । ଭାରତୀୟ ଦଳ ତରଫରୁ କେଉଁ ଖେଳାଳିଙ୍କୁ ରୋହିତଙ୍କ ସହ ଓପନିଙ୍ଗ କରିବାର ସୁଯୋଗ ମିଳିବ? ଟିମ ମ୍ୟାନେଜମେଣ୍ଟକୁ ବର୍ତ୍ତମାନ ଏହି ବଡ଼ ପ୍ରଶ୍ନ ଘାରି ହେଉଛି । ଏହାକୁ ନେଇ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି ।

ଦୀର୍ଘ ଦିନ ପରେ ଏସିଆ କପ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବଂ ଶ୍ରେୟସ ଅୟର । ତେବେ ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ବେଳେ ରାହୁଲ ଟୁର୍ଣ୍ଣାମେଣ୍ଟର କିଛିଟା ମ୍ୟାଚରୁ ବାଦ୍ ପଡ଼ିବେ । ତେବେ ଏଭଳି ପରିସ୍ଥିତିରେ ଯୁବ ୱିକେଟ କିପର ଇଶାନ କିଶାନଙ୍କୁ ଦଳରେ ସ୍ଥାନ ଦିଆଯିବା ନିଶ୍ଚିତ । ତେବେ ଦଳରେ ନିୟମିତ ଓପନର ଭାବରେ ଶୁଭମନ ଗିଲ ଦଳରେ ସାମିଲ ରହିଛନ୍ତି । ଏହାବ୍ୟତୀତ ଦିନିକିଆ ଫର୍ମାଟରେ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ମଧ୍ୟ ଖୁବ ସୁନ୍ଦର ରହିଛି । ତେଣୁ ଇଶାନ ଏବଂ ଗିଲଙ୍କ ମଧ୍ୟରୁ କେଉଁ ଖେଳାଳିଙ୍କ ସହ ରୋହିତ ଓପନିଙ୍ଗ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି ଟିମ ଇଣ୍ଡିଆ ।

ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ରୋହିତଙ୍କ ସହ ଗିଲଙ୍କୁ ଓପନିଙ୍ଗ କରିବାର ସୁଯୋଗ ମିଳିବାର ଅଧିକ ସମ୍ଭାବନା ରହିଛି । ଗିଲ୍ ଏପର୍ଯ୍ୟନ୍ତ ମୋଟ ୨୩ଟି ଦିନିକିଆରୁ ୧୨୫୮ ରନ୍ ସଂଗ୍ରହ କରି ଆସିଛନ୍ତି । ଏହା ମଧ୍ୟରେ ସେ ୩ଟି ଶତକ ହାସଲ କରିବା ସହ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେପଟେ ଇଶାନ କିଶାନ ମଧ୍ୟ ଗିଲଙ୍କ ତୁଳନାରେ ଦମଦାର ପ୍ରଦର୍ଶନ କରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ୩ଟି ଦିନିକିଆ ମ୍ୟାଚରେ ୩ଟି ଅର୍ଦ୍ଧଶତକ ସହ ୧୮୪ ରନ୍ ସଂଗ୍ରହ କରି ନିଜକୁ ଏହି ସ୍ଥାନ ପାଇଁ ଦାବିଦାର ବନାଇଛନ୍ତି ଇଶାନ୍ । ତେବେ ୧୭ଟି ଦିନିକିଆ ମ୍ୟାଚରେ ସେ ଓପନିଙ୍ଗ କରିଥିବା ବେଳେ ଗୋଟିଏ ଦ୍ୱିଶତକ ଏବଂ ଗୋଯିଏ ଶତକ ସହ ୬ଟି ଅର୍ଦ୍ଧଶତକ ହାସଲ କରି ମୋଯ ୬୯୪ ସଂଗ୍ରହ କରିଛନ୍ତି । ତେବେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଛି ୨୧୦ ।

ଉଭୟଙ୍କ ରେକର୍ଡକୁ ନଜରରେ ରଖି ଭାରତୀୟ ଦଳ ବର୍ତ୍ତମାନ ଦ୍ୱିତୀୟ ଓପନରଙ୍କୁ ନେଇ ସଂକଟରେ ପଡ଼ି ଯାଇଛି । ଗୋଟିଏ ପକ୍ଷରେ ଅଧିନାୟକ ରୋହିତ ପାଳି ଆରମ୍ଭ କରିବାକୁ ଥିବା ବେଳେ ତାଙ୍କ ସହ ଶୁଭମନ ଗିଲ ଓପନ୍ କରିପାରନ୍ତି । ଫଳରେ ଇଶାନ କିଶାନଙ୍କୁ ମଧ୍ୟକ୍ରମରେ ଖେଳିବା ପାଇଁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା ।

ଏସିଆ କପ୍ ପାଇଁ ସମ୍ଭାବ୍ୟ ପ୍ଲେଇଙ୍ଗ ୧୧: ରୋହିତ ଶର୍ମା(ଅଧିନାୟକ),ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର/ଅକ୍ଷର ପଟେଲ, ଜଶପ୍ରୀତ ବୁମରାହ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, କୁଳଦୀପ ଯାଦବ(୧୨) ।

Get real time updates directly on you device, subscribe now.