fbpx

ନୂଆ ମିଶନ ପାଇଁ ଇସ୍ରୋର ଜେରାଦାର ପ୍ରୟାସ, ଖୁବ୍‌ଶୀଘ୍ର ଶୁକ୍ରଗ୍ରହକୁ ପଠାଇବ ମହାକାଶ ଯାନ

ନୂଆଦିଲ୍ଲୀ : ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ସଫଳତାର ସହ ମହାକାଶ ଯାନ ପଠାଇବା ପରେ ଖୁବ୍‌ ଶୀଘ୍ର ଇସ୍ରୋ ଶୁକ୍ରଗ୍ରହର କକ୍ଷପଥକୁ ମହାକାଶ ଯାନ ପଠାଇବା ପାଇଁ ତା’ର ପ୍ରୟାସକୁ ଜୋର୍‌ଦାର କରିଛି  । ଏନେଇ ଇସ୍ରୋ ଅଧ୍ୟକ୍ଷ ଏସ୍‌.ସୋମନାଥ ସୂଚନା ଦେଇଛନ୍ତି  । ମହାକାଶ ଆଧାରିତ ଏକ ଦିବସୀୟ ଆଲୋଚନା ଚକ୍ରରେ ସାମିଲ ହୋଇ ଶ୍ରୀ ସୋମନାଥ କହିଥିଲେ ଯେ, ଶୁକ୍ର ଗ୍ରହର ବାୟୁମଣ୍ଡଳ ଉପରେ ଅଧ୍ୟୟନ କରିବା ପାଇଁ ଏହି ଯାନ ପଠାଯିବ  । ଶୁକ୍ରଗ୍ରହରେ ଜୀବସତ୍ତା ଅଛି କି ନାହିଁ ତା’ର ସନ୍ଧାନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ  ।

ଏହି ଗ୍ରହକୁ ସଲ୍‌ଫ୍ୟୁରିକ ଏସିଡ୍‌ର କଳା ବାଦଲ ଢାଙ୍କି କରି ରହିଛି  । ଏଠାରେ ଅନେକ ଗୁଡ଼ିଏ ବିଷାକ୍ତ ଗ୍ୟାସ୍‌ ଥିବାର ମଧ୍ୟ ସନ୍ଦେହ କରାଯାଉଛି  । ତେଣୁ ଖୁବ୍‌ ସାବଧାନତାର ସହକାରେ ଏହି ଗ୍ରହକୁ ମହାକାଶ ଯାନ ପଠାଯିବାର ଯୋଜନା ଆରମ୍ଭ ହୋଇଛି  । ଦୀର୍ଘ ବର୍ଷ ହେବ ଶୁକ୍ର ଗ୍ରହକୁ ମହାକାଶ ଯାନ ପଠାଇବା ପାଇଁ ଅଭିଯାନ ଚାଲିଥିବାବେଳେ ଏଥିପାଇଁ ଆବଶ୍ୟକୀୟ ମିଶନ ପ୍ଲାନ୍‌ ମଧ୍ୟ ପ୍ରସ୍ତୁତ ହୋଇସାରିଛି  । ଏଥିପାଇଁ କେତେ ଅର୍ଥ ଆବଶ୍ୟକ ହେବ ଓ ଏହି ମିଶନ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତା’ର ବଜେଟ୍‌ ମଧ୍ୟ କରାଯାଇଛି ବୋଲି ଶ୍ରୀ ସୋମନାଥ ସୂଚନା ଦେଇଛନ୍ତି  ।

ସେ କହିଛନ୍ତ, ଶୁକ୍ର ଗ୍ରହକୁ ମହାକାଶ ଯାନ ପଠାଇବା ମିଶନ ଖୁବ୍‌ କମ୍‌ ସମୟ ମଧ୍ୟରେ ଭାରତ ପକ୍ଷରେ ସମ୍ଭବ  । କାରଣ ଆଜି ଭାରତ ପାଖରେ ଏପରି କରି ଦେଖାଇବା ପାଇଁ ଯଥେଷ୍ଟ ସାମର୍ଥ୍ୟ ରହିଛି  । ଶୁକ୍ର କିଭଳି ଆଗ୍ନେୟ ଗୋଲକ ପାଲଟିଲା ସେ ନେଇ ଅବଗତ ହେବା ନିମନ୍ତେ ଆମେରିକା ସମେତ ଅନ୍ୟ କେତେକ ରାଷ୍ଟ୍ର ଶୁକ୍ର ଅଭିଯାନରେ ଯିବା ପାଇଁ ଯୋଜନା କରିଛନ୍ତି  । ବିଶେଷଜ୍ଞଙ୍କ ମତରେ ଏକଦା ଶୁକ୍ର ପୃଥିବୀ ପରି ଥିଲା  । ସେହି କାରଣରୁ ତାକୁ ପୃଥିବୀର ଯମଜ ବୋଲି କୁହାଯାଏ  । କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଶୁକ୍ରର ସ୍ଥିତି ବଦଳିଯାଇଛି  । ଇସ୍ରୋ ବ୍ୟତୀତ ନାସା ମଧ୍ୟ ଶୁକ୍ର ଗ୍ରହର ଅନୁଧ୍ୟାନ ପାଇଁ ୨ଟି ମହାକାଶ ଯାନ ପଠାଇବାର ବ୍ୟବସ୍ଥା କରୁଛି  । ମହାକାଶ ସଂସ୍ଥା ଶୁକ୍ରଙ୍କ ଅନ୍ତର୍ନିହିତ ଜଗତକୁ ଅନୁସନ୍ଧାନ କରିବା ପାଇଁ ପ୍ରାୟ ୧ ମିଲିୟନ ଡଲାର ଖର୍ଚ୍ଚ କରିଛି  ।

Get real time updates directly on you device, subscribe now.