fbpx

‘ଏହି କାମ କଲେ ମୋହନ ସରକାରଙ୍କ ନାମ ଲିପିବଦ୍ଧ ହେବ..’, ଭିତର ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଏପରି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ପୁରୀ: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଆସନ୍ତାକାଲି ଖୋଲାଯିବ ବୋଲି ସୂଚନା ମିଳିଛି । ତେବେ ଏହା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ତାଙ୍କ କହିବାନୁସାରେ, ରାଜା ଯାହା ମଧ୍ୟ ଜୟ କରନ୍ତି ସେ ମହାପ୍ରଭୁଙ୍କୁ ଭେଟି ଦିଅନ୍ତି । ଏହିସବୁ ରତ୍ନଭଣ୍ଡାରରେ ରହିଥାଏ । ଏହାକୁ ଖୋଲିବା ଏକ ସାମାନ୍ୟ କଥା ନୁହେଁ । ରତ୍ନଭଣ୍ଡାରରେ ଥିବା ଧନ ସଂପତ୍ତିର ଗଣତି ପାଇଁ ମାସ ମାସ ଧରି ସମୟ ଲାଗିବ । ଏହି ସମୟରେ ସରକାର ମହାପ୍ରଭୁଙ୍କର ରଘୁନାଥ ବେଶ କରନ୍ତୁ । ଏହା ମହାପ୍ରଭୁଙ୍କର ଦୁର୍ଲଭ ବେଶ ଅଟେ । ଏହି ରଘୁନାଥ ବେଶ ୧୯୦୫ ମସିହାରେ ହୋଇଥିଲା । ଏହି ବେଶ କଲେ ମୋହନ ସରକାରଙ୍କ ନାମ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।

ରତ୍ନଭଣ୍ଡାରକୁ ନେଇ ସମସ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ରହିଛି ସେତିକି ମନରେ ଭୟ ବି ରହୁଛି । ରତ୍ନଭଣ୍ଡାର ଭିତରେ ପାଣି ପଡି କାଳେ କ୍ଷତି ହୋଇଥିବ ତାକୁ ନେଇ ସନ୍ଦେହ କରାଯାଉଛି । ଏହା ପୂର୍ବରୁ କେହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ବର୍ତ୍ତମାନର ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ସରକାର ଉଚିତ ଭାବେ ତଦାରଖ କରିବେ ବୋଲି ମୋର ଆଶା ରହିଛି । ଅଲଙ୍କାର ଠିକ ଭାବେ ଗଣତି ହୋଇ ସୁରକ୍ଷିତ ଭାବେ ରଖାଯାଉ । ରତ୍ନଭଣ୍ଡାର ସଂପୂର୍ଣ୍ଣ ଭାବେ ମରାମତି ହେବା ଆବଶ୍ୟକ । ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଯେପରି ସୁରକ୍ଷିତ ରହିବ ସେହିପରି ଭାବେ ମରାମତି କରାଯାଉ ବୋଲି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.