fbpx

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସଂନ୍ଧ୍ୟାଧୂପ ଶେଷ ହେବାପରେ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମନୀତି

AAKASH

ଓଡିଶା ଭାସ୍କର; ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ଲୀଳାମୟ ଭଗବାନ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଯାହାକୁ ସମସ୍ତେ ଜନ୍ମାଷ୍ଟମୀ ଭାବେ ପାଳନ କରନ୍ତି । ତେବେ ଆଜି ଏହି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ରହିଛି ସ୍ୱତନ୍ତ୍ର ନୀତିକାନ୍ତି । ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ ଭୋଗ ସହ ଗର୍ଭଉଦକ ବନ୍ଦାପନା କରାଯାଇଥିବା ବେଳେ ଆଜି ସଂନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ମହାଜନ ସେବକଙ୍କ ଦ୍ଵାରା ଅନୁଷ୍ଠିତ ହେବ ଶ୍ରୀକୃଷ୍ଣ ଜନ୍ମନୀତି । ଦେବକୀ ଓ ବସୁଦେବ ବେଶରେ ଜନ୍ମ ଚକଡାରେ ନିଶାର୍ଦ୍ଧରେ ଜନ୍ମ ନେବେ ପ୍ରଭୁ କୃଷ୍ଣ ।

ଆଜିଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ କଂସବଧ ଲୀଳା ନୀତି ପର୍ଯ୍ୟନ୍ତ ଚାଲୁରହିବ । ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ମଠବାଡି ମାନଙ୍କରେ ଆଜି ରାତିରେ ଶ୍ରୀକୃଷ୍ଣ ଜନ୍ମନୀତି ମଧ୍ୟ ଅନୁଷ୍ଠିତ ହେବ । ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିବେ । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ଅଣାଯିବା ନେଇ କାର୍ଯ୍ୟକ୍ରମ ରହିଛି ।

ଏହାପରେ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ଚରିତ୍ର ହୋଇ କୃଷ୍ଣ ଜନ୍ମନୀତି ପାଳନ କରିବେ । ପରେ ମଦନମୋହନଙ୍କୁ ନାଭିକଟାମଣ୍ତପକୁ ନିଆଯାଇ କୃଷ୍ଣଜନ୍ମ ଠାରୁ ଉପନୟନ ପର୍ୟ୍ୟନ୍ତ ବିଭିନ୍ନ ନୀତିକାନ୍ତି କରାଯିବ । ଶେଷରେ ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.