fbpx

‘ଜୱାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ୭ ଦିନ ମଧ୍ୟରେ କ୍ଷତିପୂରଣ ମିଳିବ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଯାଇଛି ସତ, ହେଲେ ଛାଡ଼ି ଯାଇଛି ଅନେକ ଯାତନା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷଜମି, ଫସଲ ନଷ୍ଟ ହୋଇଛି । ଫଳରେ ଚାଷୀ ଆଜି ମୁଣ୍ଡରେ ହାତ ଦେଇ ବସିଛି । ତେଣୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତାର ହାତ ବଢ଼ା ଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ନେଇ ସେ କିଛି ଅଞ୍ଚଳକୁ ଗସ୍ତ କରିଥିଲେ । ବାତ୍ୟା ଫଳରେ ରାଜ୍ୟର ଚାଷୀମାନଙ୍କର ଅଦ୍ଭୂତପୂର୍ବ କ୍ଷତି ହୋଇଛି । ଏହି କ୍ଷତି ଚାଷୀକୂଳଙ୍କୁ ଅତ୍ୟନ୍ତ ମର୍ମାହତ କରିଦେଇଛି । ଚାଷୀଭାଇଙ୍କ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ଏସିଆରସି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଆସନ୍ତା ୭ ଦିନ ମଧ୍ୟରେ ସରକାରୀ ବ୍ୟବସ୍ଥା ଆଧାରରେ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ରାଜ୍ୟବାସୀଙ୍କର ଚିର ସହଚର । ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସହାୟତା ମିଳିବ ତାହା ଚାଷୀଙ୍କର ପ୍ରକୃତ କ୍ଷତିକୁ କେବେ ବି ଭରଣା କରିପାରିବ ନାହିଁ । ତେଣୁ ସେମାନେ ହତ୍ସୋତ୍ସାହିତ ନହୋଇ ମନୋବଳ ଦୃଢ଼ କରି ଆଗାମୀ କାଲି ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.