ନୂଆଦିଲ୍ଲୀ: ଧନତେରସ ଅବସରରେ ଜିଓ ଫାଇନାନ୍ସ ଆଣିଛି ବଡ ଅଫର । ଏବେ ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ମାତ୍ର ୧୦ ଟଙ୍କାରେ ସୁନା କିଣିବାର ମୌକା ଦେଉଛି । ଘରେ ବସି ଏତେ କମ ଟଙ୍କାରେ ସୁନା କିଣିବା ସହ ଧନତେରସର ପରମ୍ପରା ରକ୍ଷା ମଧ୍ୟ ସବୁ ବର୍ଗର ଲୋକଙ୍କ ପାଇଁ ସୁଯୋଗ ଦେବ ନିଶ୍ଚିତ ।
ଧନତେରସ ପାଇଁ ଜିଓ ଫାଇନାନ୍ସ ସ୍ମାର୍ଟ ଗୋଲ୍ଡ ଯୋଜନା ଲଞ୍ଚ କରିଛି । ଏଥିରେ ଗ୍ରାହକ ମାତ୍ର ୧୦ ଟଙ୍କା ଖର୍ଚ୍ଚ କରି ଡିଜିଟାଲ ସୁନା କିଣି ପାରିବେ । ଏହି ଗୋଲ୍ଡ ଇନଭେଷ୍ଟମେଣ୍ଟରୁ ମିଳୁଥିବା ସ୍ମାର୍ଟ ଗୋଲ୍ଡ ୟୁନିଟ କୌଣସି ବି ସମୟରେ ଟଙ୍କା, ସୁନା କଏନ କି ଅଳଙ୍କାର ରୂପରେ ମିଳିପାରିବ । ସବୁଠାରୁ ବଡ କଥା ଏଥିପାଇଁ ବ୍ୟକ୍ତିଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ ।
ସ୍ମାର୍ଟ ଗୋଲ୍ଡ ସ୍କିମରେ ଇଭେଷ୍ଟ କରିବା ପରେ ଗ୍ରାହକ ପାଇଁ ୨୪ କାରେଟ ସୁନା କିଣାଯାଇ ସୁରକ୍ଷିତ ରଖାଯିବ । ଆପଣ କିଣୁଥିବା ସୁନା ଡିଜିଟାଲ ଗୋଲ୍ଡ ହୋଇଥିବାରୁ ଏହାକୁ ହଜେଇବାର କି ଚୋରି ହେବାର ପ୍ରଶ୍ନ ଉଠୁନି । ଏଥିପାଇଁ ଆପଣଙ୍କୁ ଲକରର ଆବଶ୍ୟକତା ମଧ୍ୟ ପଡିବ ନାହିଁ । ଏକଦମ ସୁରକ୍ଷିତ ରହିବ ଆପଣଙ୍କ ସୁନା । ଏହି ଯୋଜନାରେ ଇନଭେଷ୍ଟ କରିବାକୁ କମ୍ପାନୀ ତରଫରୁ ଗ୍ରାହକଙ୍କୁ ଦୁଇଟି ବକଳ୍ପ ଦିଆଯିବ ।
ନିବେଶକ ଏକ ନିର୍ଦ୍ଧିଷ୍ଟ ସଂଖ୍ୟା ସ୍ଥିର କରିପାରିବେ ବା ସୁନା ଓଜନ ମୁତାବକ ନିବେଶ କରିପାରିବେ । ଫିଜିକାଲ ଗୋଲ୍ଡର ଡେଲିଭରୀ ୦.୫ ଗ୍ରାମ ଓ ତାଠାରୁ ଅଧିକ ଉପରେ ହେବ । ଗ୍ରାହକ ଚାହିଁଲେ ଜିଓ ଫାଇନାନ୍ସ ଆପରେ ସିଧା ସୁନା କଏନ କିଣି ହୋମ ଡେଲିଭରୀର ସୁବିଧା ପାଇପାରିବେ ।