ଅଁଳା ନବମୀ ପୂର୍ବରୁ ପୁରୀରେ ମାରପିଟ୍: ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପିଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜଣେ ଜଗନ୍ନାଥ ଟେମ୍ପଲ ପୋଲିସ (ଜେଟିପି)ଙ୍କ ମୁଣ୍ଡ ଫାଟିଯାଇଛି । ଏନେଇ ସିଂହଦ୍ୱାର ଥାନାରେ ଉଭୟ ଜେଟିପି ଓ ବଙ୍ଗୀୟ ପର୍ଯ୍ୟଟକ ଏତଲା ଦେଇଛନ୍ତି । ଘଣ୍ଟିଦ୍ୱାର ନିକଟରେ ପ୍ରବେଶକୁ ନେଇ ଜେଟିପି ଓ ବଙ୍ଗୀୟ ଭକ୍ତଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ପର୍ଯ୍ୟଟକଙ୍କ ମାଡ଼ରେ ଜେଟିପି ଗୁପ୍ତେଶ୍ୱର ରାଉତରାୟଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ରାତି ପାହିଲେ ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ମାଆ ରାଧାରାଣୀଙ୍କ ଦୁର୍ଲ୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବର୍ଷକୁ ଥରେ ଭକ୍ତମାନେ ମା’ ରାଧାରାଣୀଙ୍କ ଏହି ପାଦ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥାନ୍ତି । ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଗୋଟିଏ ଦିନରେ ପଡ଼ୁଥିବାରୁ ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସପି ଶ୍ରୀ ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।