fbpx

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ତଦନ୍ତ କମିଟିର ମୁଖ୍ୟ ହେଲେ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା

ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବର ଫିରୋଜପୁର ରାଲିରେ ଯୋଗଦେବାକୁ ଯାଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍ ପ୍ରାୟ ୨୦ ମିନିଟ୍ ଧରି ରାସ୍ତାରେ ଅଟକିଥିଲା । ଏହାପରେ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ନେଇ ତୁମ୍ବିତୋଫାନ୍ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ଗତ ୧୦ ତାରିଖରେ ସୁପ୍ରିମକୋର୍ଟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଉକ୍ତ ଟିମରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ, ଚଣ୍ଡିଗଡ଼ ଡିଜିପି, ପଞ୍ଜାବ ଏଡିଜିପି, ଗୁଇନ୍ଦା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ, ଏନଆଇଏର ଆଇଜି ପ୍ରମୁଖ ସଦସ୍ୟ ରହିବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ତେବେ ସଦ୍ୟ ପ୍ରାପ୍ତ ରିପୋର୍ଟ ମୁତାବକ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଏହି ତଦନ୍ତ ଟିମରେ ମୁଖ୍ୟ ରହିବେ । ଏଥିସହ ଅନ୍ୟ ସମସ୍ତ ତଦନ୍ତ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଘଟଣା ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଏହି ଘଟଣାକୁ ନେଇ ଗୋଟିଏ ପଟେ କେନ୍ଦ୍ର ସରକାର ଓ ଅନ୍ୟପଟେ ପଞ୍ଜାବ ସରକାରଙ୍କୁ ନେଇ ଏକ ପ୍ରକାର ଲଢ଼େଇ ଚାଲିଥିଲା । ଏହି ଘଟଣା ଘଟିବାର ୧୮ ଘଣ୍ଟା ପରେ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଥିବାକୁ ଏହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିରୋଧ କରାଯାଇଥିଲା । ସେହିପରି ଆଗକୁ ଉତ୍ତରପ୍ରଦେଶ ପରି ବୃହତ ରାଜ୍ୟର ନିର୍ବାଚନରେ ଜିତିବା ପାଇଁ ବିଜେପିର ଏହା ଏକ ଚାଲ୍ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି ପ୍ରତ୍ୟାରୋପ ଲଗାଇଥିଲେ । ଏପରିକି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଅଟକି ଥିବା ବେଳେ କିଛି ପୋଲିସ ଅଧିକାରୀ ରାସ୍ତାରେ ବିକ୍ଷୋଭକାରୀଙ୍କ ସହ ମିଶି ଚା’ ପିଉଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

Get real time updates directly on you device, subscribe now.