fbpx

ମରିଥିଲେ ଅନିତା, ଶବ ବ୍ୟବଚ୍ଛେଦ ପରେ ହୋଇଗଲେ ରେଶମା

କାନପୁର: ୟୁପିର କାନପୁରରେ ଘଟିଯାଇଛି ଅଭାବନୀୟ ଘଟଣା । ଶବ ବ୍ୟବଚ୍ଛେଦ ପରେ ମହିଳାଙ୍କ ମୃତଦେହ ନେଇ ପରିବାର ବର୍ଗ ଫେରିବା ବେଳେ, ଅଧାବାଟରେ ମୃତଦେହର ମୁହଁ ଦେଖି ହୋଇଗଲେ ଛାନିଆ । ସଙ୍ଗେ ସଙ୍ଗେ ଧାଇଁଲେ ପୁଣି ହସ୍ପିଟାଲକୁ । କାରଣ ବଦଳିଯାଇଥିଲା ମହିଳାଙ୍କ ମୃତଦେହ । ପୋଷ୍ଟମର୍ଟମ ସେଣ୍ଟରର କର୍ମଚାରୀଙ୍କ ଅବହେଳା ପାଇଁ ଜଣେ ହିନ୍ଦୁ ମହିଳାଙ୍କ ସ୍ଥାନରେ ମୁସଲମାନ ମହିଳାଙ୍କ ଶବର ହୋଇଯାଇଥାନ୍ତି ଅନ୍ତିମ ସଂସ୍କାର ।

ସୂଚନା ମୁତାବକ, ଫତେହପୁରର ମନୋଜ ତ୍ରିବେଦୀଙ୍କ ପତ୍ନୀ ଅନିତା ଘରେ କାମ କରୁଥିବା ବେଳେ ପଡିଯିବାକୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ହୈଲଟ ହସ୍ପିଟାଲକୁ ନିଆଯାଇଥିଲା । ସେଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନିତାଙ୍କ ଶବବ୍ୟବଚ୍ଛେଦ ହୋଇଥିଲା । ଏହା ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ପରିବାର ସଦସ୍ୟ ମୃତଦେହ ନେଇ ଘରକୁ ଫେରୁଥିଲେ । ପ୍ରାୟ ୧ କିମି ଯିବା ପରେ ସେମାନଙ୍କର ସନ୍ଦେହ ହୋଇଥିଲା । କାହିଁକି ନା, ସେମାନେ ଯେଉଁ ଶବ ନେଉଥିଲେ, ତାହା ଅନିତାଙ୍କଠୁ ମୋଟା ଲାଗୁଥିଲା ।

ତେଣୁ ଶବ ବ୍ୟବଚ୍ଛେଦର ପ୍ୟାକିଂ ଖୋଲି ଦେଖନ୍ତି ତ ତାହା ଅନିତାଙ୍କ ମୃତଦେହ ନ ଥିଲା । ଏହା ଦେଖି ପରିବାର ଲୋକ ହତବାକ ହୋଇଯାଇଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ପୁଣି ହସ୍ପିଟାଲ ଫେରିବାକୁ ବାଧ୍ୟ କରିଥିଲେ । ଶବବ୍ୟବଚ୍ଛେଦ ଗୃହରେ ପହଞ୍ଚି ଅଭିଯୋଗ କରିବା ପରେ ଜାଣିବାକୁ ପାଇଥିଲେ କି, ଅନିତାଙ୍କ ଶବ ରେଶମା ନାମକ ମୃତ ମହିଳାଙ୍କ ପରିବାରକୁ ଦିଆ ଯାଇଛି । ଶବ ବ୍ୟବଚ୍ଛେଦ ଗୃହର କର୍ମଚାରୀ ଖୋଜାଖୋଜି କରି ରେଶମାଙ୍କ ପରିଠାରୁ ଅନିତାଙ୍କ ଶବ ଆଣିବା ସହ ସେମାନଙ୍କୁ ରେସମାଙ୍କ ଶବ ହସ୍ତାନ୍ତର କରିଥିଲେ ।

ଏହି ଘଟଣାକୁ ନେଇ ସେଠାରେ ଦୀର୍ଘ ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଯଦି ଅନିତାଙ୍କ ପରିବାର ଅଧ ବାଟରେ ମୃତଦେହ ଦେଖି ନ ଥାନ୍ତେ ତେବେ ରେସମାଙ୍କ ଶବକୁ ଗଙ୍ଗାଘାଟରେ ପୋଡିବାକୁ ବାଧ୍ୟ ହୋଇଥାନ୍ତେ । ସେପଟେ ଅନିତାଙ୍କ ଶବକୁ ହୁଏତ ରେଶମାଙ୍କ ଘର ଲୋକ କବର ଦେଇଥାନ୍ତେ । ପୋଲିସ ଘଟଣାରେ ଦୁଃଖବ୍ୟକ୍ତ କରିଛି ।

Get real time updates directly on you device, subscribe now.