fbpx

ଘୋର କଳିଯୁଗ ! ମଲ୍‌ ନିର୍ମାଣ ପାଇଁ ୧୫୦ବର୍ଷ ପୁରାତନ ମନ୍ଦିର ଉପରେ ଚାଲିଲା ବୁଲଡୋଜର

AAKASH

କରାଚି : ପାକିସ୍ତାନର କରାଚିରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଏକ ସପିଂ ମଲ ପାଇଁ ଭଙ୍ଗାଯାଇଛି, ଯାହାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । କରାଚିର ସୋଲଜର ବଜାରରେ ସ୍ଥିତ ହିନ୍ଦୁ ମନ୍ଦିର-ମାରି ମାତା ଏକ ସପିଂ ପ୍ଲାଜା ପାଇଁ ଶୁକ୍ରବାର (ଜୁଲାଇ ୧୪) ରାତିରେ ଜଣେ ଅଜ୍ଞାତ ବିଲଡରଙ୍କ ଦ୍ୱାରା ଭଙ୍ଗା ଯାଇଥିଲା।

ମନ୍ଦିର ଭଙ୍ଗାଯିବା ସମୟରେ ଉକ୍ତ ସ୍ଥାନରେ ଭାରି ମାତ୍ରାରେ ପୋଲିସ ଫୋର୍ସ ମୁତୟନ ରହିଥିଲା । ଏନେଇ ମନ୍ଦିର ରକ୍ଷାଣବେକ୍ଷଣରେ ଥିବା ବ୍ୟକ୍ତି ରାମନାଥ ମିଶ୍ର ମହାରାଜ କହିଛନ୍ତି, “ପ୍ରଶାସନ ଭୋର ସକାଳୁ ଆସି ଏହି ମନ୍ଦିରକୁ ଭାଙ୍ଗି ଦେଇଛି । ଏ ସମ୍ପର୍କରେ ଆମକୁ ସୂଚିତ ମଧ୍ୟ କରାଯାଇନାହିଁ ।” ମିଶ୍ର ନିକଟ ଶ୍ରୀପଞ୍ଚ ମୁଖି ହନୁମାନ ମନ୍ଦିରର ରକ୍ଷାଣବେକ୍ଷଣ ମଧ୍ୟ କରନ୍ତି । ପ୍ରଶାସନ ମନ୍ଦିରର ବାହାର କାନ୍ଥ ଓ ମୁଖ୍ୟ ଦ୍ବାରକୁ ଛାଡ଼ି ଦେଲେ ଭିତର ପାର୍ଶ୍ବକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦିଆଯାଇଛି । ଏହି ମନ୍ଦିର ୧୫୦ ବର୍ଷ ପୁରାତନ । ମନ୍ଦିରର କିମ୍ବଦନ୍ତୀ ଅନୁସାରେ ଏହାର ତଳେ ବହୁ ସ୍ବର୍ଣ୍ଣ ଅଳଙ୍କାର ପୋତା ଯାଇଛି ବୋଲି କହିଛନ୍ତି ମିଶ୍ର ।

ମିଶ୍ରଙ୍କ ସୂଚନା ମୁତାବକ ମନ୍ଦିରଟି ପ୍ରାୟ ୪୦୦ରୁ ୫୦୦ ବର୍ଗ କ୍ଷେତ୍ର ମଧ୍ୟରେ ପରିବେଷ୍ଟିତ । ଏହା ଉପରେ ଜମି ମାଫିଆ ଓ କିଛି ଶିଳ୍ପପତିଙ୍କ ନଜର ଥିଲା । ସେଥିପାଇଁ ହିନ୍ଦୁ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳକୁ ସେମାନଙ୍କ ଅଜାଣତରେ ଭାଙ୍ଗି ଦିଆଯାଇଛି । ସେପଟେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ପୁରାତନ ମନ୍ଦିରଟି ବହୁ ପୁରୁଣା ହୋଇଥିବାରୁ ଏହା ଅସୁରକ୍ଷିତ ଅବସ୍ଥାରେ ଥିଲା । ଯାହାକି ସ୍ଥାନୀୟ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା । ସ୍ଥାନୀୟ ପ୍ରଶାସନ ଏହାକୁ ଜନତାଙ୍କ ପାଇଁ ବିପଦସଙ୍କୁଳ ସ୍ଥାନ ବୋଲି ଘୋଷଣା କରିବା ପରେ ଏହାକୁ ଭାଙ୍ଗି ଦିଆଯାଇଛି ।

କରାଚିରେ ଥିବା ମଦରାସି ହିନ୍ଦୁ ସମ୍ପ୍ରଦାୟ ଏହି ମନ୍ଦିରକୁ ଚଲାଉଥିଲେ । ଏହା ବହୁ ପୁରୁଣା ହେବା ସହ ବିପଦପୂର୍ଣ୍ଣ ସ୍ଥଳ ବୋଲି ସେମାନ ମଧ୍ୟ ସ୍ବୀକାର କରିଥିଲେ । ମନ୍ଦିର ପରିଚାଳନା କମିଟି ଏଠାରେ କାର୍ୟ୍ୟରତ ସେବାୟତମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା । ଅନ୍ୟପଟେ ହିନ୍ଦୁ ସମ୍ପ୍ରଦାୟର ମୁଖ୍ୟ ରମେଶ କହିଛନ୍ତି, “ମନ୍ଦିର ପରିଚାଳନା କମିଟି ଚାପଗ୍ରସ୍ତ ଥିଲା । ଏହି ଜମି ଉପରେ ବ୍ୟବସାୟିକ ଅନୁଷ୍ଠାନ ନିର୍ମାଣ କରିବା ଲାଗି ଯୋଜନା ରହିଛି । ଏଣୁ କ୍ରମାଗତ ଭାବେ ମନ୍ଦିର ଭାଙ୍ଗିବା ଲାଗି ଚାପ ପକାଯାଉଥିଲା ।” ଏପରି ବି ଚର୍ଚ୍ଚା ହୋଇଛି କି, ଏହି ମନ୍ଦିରଟି ଦୁଇ ଜଣ ନାମୀଦାମୀ ଲୋକ ଅନ୍ୟ ପାର୍ଟିକୁ ୭୦ ମିଲିୟନ୍ ଟଙ୍କାରେ ବିକ୍ରି କରି ଦେଇଥିଲା ଏବଂ କ୍ରେତା ସେଠାରେ ଏକ ବ୍ୟବସାୟିକ ଭବନ ନିର୍ମାଣ କରିବାକୁ ଚାହୁଁଥିଲେ।

Get real time updates directly on you device, subscribe now.